୧୨ ରୁ ଅଧିକ ମନ୍ତ୍ରୀଙ୍କ ଘର ଜାଳିଦେଲେ ପ୍ରଦର୍ଶନକାରୀ, ଭାରତୀୟଙ୍କ ପାଇଁ ହେଲ୍ପଲାଇନ ଜାରି

222

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଂକଟ ପାଇଁ ଏବେ ଦେଶ ଗୃହଯୁଦ୍ଧ ଆଡକୁ ଅଗ୍ରସର ହେଉଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ବିରୋଧୀଙ୍କ ଚାପରେ ଇସ୍ତଫା ଦେଇଥିଲେ ବି ଜନତାଙ୍କ ବିରୋଧ ଜାରି ରହିଛି । ତାଙ୍କ ଇସ୍ତଫାକୁ ବିରୋଧ କରି ସମର୍ଥକମାନେ କଲମ୍ବୋରେ ହିଂସା କରିଛନ୍ତି । ସେପଟେ ବିରୋଧୀମାନେ ବି ସମର୍ଥକମାନଙ୍କୁ କଡା ଜବାବ ଦେବାକୁ ରାସ୍ତାକୁ ଓହ୍ଲାଇଛନ୍ତି ।

ଏସବୁ ଭିତରେ ପ୍ରଦର୍ଶନକାରୀମାନେ ହବନଟେଟା ଠାରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଜାଳି ଦେଇଛନ୍ତି । ଏହାସହ ପୂର୍ବତନ ମନ୍ତ୍ରୀ ଜନସନ ଫର୍ନାଡୋଙ୍କ ଗାଡିକୁ ବି ଜାଳି ଦେଇଛନ୍ତି ପ୍ରଦର୍ଶନକାରୀମାନେ । ବିରୋଧୀ ନେତାମାନେ ତୁରନ୍ତ ରାଜପକ୍ଷେଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ବିରୋଧୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ବେଳେ ମହିନ୍ଦ୍ରା ରାଜପକ୍ଷେ ସେମାନଙ୍କୁ ଉସକାଉଛନ୍ତି ।

ବିଭିନ୍ନ ସ୍ଥାନରେ ଘଟିଥିବା ଏଭଳି ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସେପଟେ ୧୨ ରୁ ଅଧିକ ମନ୍ତ୍ରୀଙ୍କ ଘର ଜାଳି ଦେଇଛନ୍ତି ପ୍ରଦର୍ଶନକାରୀ । ଏହାସହ ଶ୍ରୀଲଙ୍କାରେ ଫସି ରହିଥିବା ଭାରତୀୟଙ୍କ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । +୯୪-୭୭୩୭୨୭୮୩୨  , cons.colombo@mea.gov.in

କହିରଖୁ ଶ୍ରୀଲଙ୍କା ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । ଆର୍ଥିକ ସଂକଟ କାରଣରୁ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଏହାକୁ ନଜରରେ ରଖି ସରକାର ଦୁଇମାସରେ ୨ ଥର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିସାରିଲେଣି ।