କନକ ବ୍ୟୁରୋ: ଦେଶରେ ସବୁଠୁ ମହଙ୍ଗା ସହର ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ନିଜର ଘରଟିଏ କରି ରହିବାକୁ ସମସ୍ତେ ଚାହାନ୍ତି । ହେଲେ ଏଠାରେ ଘରର ଦାମ ଆକାଶଛୁଆଁ । ତେଣୁ ମଧ୍ୟବିତ୍ତ ଲୋକଟିଏ ଏଠି ଘର କରି ରହିବା ସାତ ସପନ । ଭୁବନେଶ୍ୱରରେ ଘରଟିଏ କିଣିବା କେତେ ମହଙ୍ଗା ସେନେଇ ରିପୋର୍ଟ ପ୍ରସ୍ତୁତ କରିଛି ମନି କଂଟ୍ରୋଲ ଲିଆସେସ୍ ଫୋରାସ । ଏଥିରେ କୁହାଯାଇଛି ଯେ, ଭୁବନେଶ୍ୱରରେ ଘରଟିଏ କରି ଭଡା ଲଗାଇ ତାର ମୂଳ ଟଙ୍କା ଉଠାଇବାକୁ ଚାହିଁଲେ ୪୭ ବର୍ଷ ଲାଗିଯିବ । ଦେଶରେ କେବଳ ଭାଇଜାଗ ସହରରେ ଘରର ଦାମ୍ ଭୁବନେଶ୍ୱରଠାରୁ ଅଧିକ ରହିଛି । ଅର୍ଥାତ ଭୁବନେଶ୍ୱରରେ ଘର କଣିବା ଦେଶରେ ଦ୍ୱିତୀୟ ସର୍ବାଧିକ । ଏପିରିକି ବେଙ୍ଗାଳୁରୁ, କୋଲକାତା ଓ ଇନ୍ଦୋରରେ ମଧ୍ୟ ଭୁବନେଶ୍ୱରଠାରୁ ଘର ଶସ୍ତା ବୋଲି ରିପୋର୍ଟରେ କୁହାଯାଇଛି । ବିଶେଷ କରି ଏଠାରେ ଜମି ମୂଲ୍ୟ ଅଧିକ ଏବଂ କଞ୍ଚାମାଲ ଦର ବୃଦ୍ଧି ଯୋଗୁଁ ଘର ଦାମ ଆକାଶ ଛୁଆଁ ହୋଇଛି ।

Advertisment

ଭୁବନେଶ୍ୱରରେ ଘର ସବୁଠୁ ମହଙ୍ଗା!

  • ଭାଇଜାଗ ପରେ ଭୁବନେଶ୍ୱରରେ ଘର କିଣିବା ସବୁଠୁ ମହଙ୍ଗା
  • ଜମିର ଚଢା ଦର ସାଙ୍ଗକୁ କଞ୍ଚା ମାଲ ଦରବୃଦ୍ଧି ଯୋଗୁଁ ଘର ମହଙ୍ଗା
  • ଭୁବନେଶ୍ୱରରେ ଘରର ଦାମ୍ ୫୬୯ ମାସର ଘର ଭଡା ସହିତ ସମାନ
  • ଅର୍ଥାତ ଜଣେ ଘର କିଣି ଭଡାରେ ମୂଳ ଟଙ୍କା ଅସୁଲ କରିବା ମୁସ୍କିଲ
  • ଘର ଭଡା ଲଗାଇ ପଇସା ଆଦାୟ କରିବାକୁ ୪୭ ବର୍ଷ ୫ ମାସ ଲାଗିଯିବ
  • ଜଣେ ୩୫ ବର୍ଷରେ ଘର କିଣିଥିଲେ ଭଡା ଲଗାଇ ପଇସା ପାଇବା ବେଳକୁ ୮୨ ବର୍ଷ ହୋଇଥିବ
  • ତେଣୁ ଘର କିଣିବା ଅପେକ୍ଷା ଭଡା ଘରେ ରହିବା ଭଲ ବୋଲି ଅନେକଙ୍କ ମତ
  • ବ୍ୟାଙ୍କରୁ ଋଣ କରି ଘର କଲେ ୨୦ରୁ ୨୫ ବର୍ଷ ମାସିକ ଇଏମଆଇ ଭରିବାକୁ ପଡିବ
  • ବେଙ୍ଗାଳୁରୁ, କୋଲକାତା ଓ ଇନ୍ଦୋରରେ ଭୁବନେଶ୍ୱରଠାରୁ କମ୍ ଦାମରେ ମିଳୁଛି ଘର
  • କେବଳ ଭାଇଜାଗରେ ଭୁବନେଶ୍ୱରଠାରୁ ମହଙ୍ଗା ରହିଛି ଘରର ଦାମ୍

କେଉଁ ସହରରେ କେତେ ଘରର ଦାମ୍?

  • ଭୁବନେଶ୍ୱରରେ ଘରର ଦର ୪୭ ବର୍ଷ ୫ ମାସର ଘର ଭଡା ସହ ସମାନ
  • ବେଙ୍ଗାଳୁରୁରେ ଏହା ମାତ୍ର ୨୫ ବର୍ଷ ୩ ମାସର ଭଡା ସହ ସମାନ
  • ଦିଲ୍ଲୀ ଏନସିଆରରେ ଘର କିଣିବା ୩୭ ବର୍ଷ ୫ ମାସର ଭଡା ସହିତ ସମାନ
  • ଚଣ୍ଡିଗଡରେ ୩୧ ବର୍ଷ ୧୧ ମାସର ଘର ଭଡା ସହ ସମାନ ଘରର ଦର
  • ମୁମ୍ବାଇରେ ଘର କଣିବା ଖର୍ଚ୍ଚ ୩୯ ବର୍ଷ ୧୦ ମାସ ର ଭଡା ସହିତ ସମାନ
  • ପୁଣେରେ ଘରର ଦର ୩୨ ବର୍ଷ ୧ ମାସର ଘର ଭଡା ସହିତ ସମାନ
  • କୋଲକାତାରେ ୨୯ ବର୍ଷ ୧୦ ମାସ ଭଡାରେ ରହିବା ସହିତ ସମାନ ଘରର ଦାମ୍
  • ହାଇଦ୍ରାବାଦ ଏହା ୪୭୨ ମାସ ଅର୍ଥାତ ୩୯ ବର୍ଷ ୪ ମାସର ଘର ଭଡା
  • ପାଟନାରେ ୪୬ ବର୍ଷ ୧ ମାସ ଭଡାରେ ରହିବା ସହ ସମାନ ଘରର ଦାମ୍
  •  ଡେରାଡୁନରେ ଏହା ୪୧୫ ମାସ ଅର୍ଥାତ ୩୪ ବର୍ଷ ୭ ମାସର ଘର ଭଡା