କନକ ବ୍ୟୁରୋ: ଆବାସ ଯୋଜନାରେ ସାମିଲ ଅଛନ୍ତି । ତାଲିକାରେ ବି ନାଁ ଅଛି । ହେଲେ ଘର ଖଣ୍ଡିଏ ମିଳିପାରୁନି । ଝାଟିମାଟି ଘରେ ଛିଣ୍ଡା ଜରି ଖଣ୍ଡିଏ ଓ ଅଖା ବସ୍ତା ପାଲଟିଛି ଆଶ୍ରା । ତାରି କଣରେ ପଡିରହିଛନ୍ତି ଜଣେ ଅସହାୟ ମଣିଷ । ଏଓଳି ସେଓଳି ବୁଲି ବୁଲି କାମ କରି ଆଣିଲେ ଚୁଲି ଜଳୁଛି । ଢେଙ୍କାନାଳ ଓଡ଼ାପଡା ଗଦାଶିଳା ଗାଁର ଭଗବାନ ନାୟକ । ଅଭାବ ଅନଟନ ଭିତରେ ଜବୀନ ଜୀଉଁଥିବା ବେଳେ ଗଛ ମୂଳରେ ଜରି ଟାଣି ରହୁଛନ୍ତି । ଯେଉଁଦିନ କିଛି କାମ ନମିଳେ ସେଦିନ ଉପାସରେ ରୁହନ୍ତି । ସରକାରଙ୍କ କୌଣସି ଯୋଜନା ତାଙ୍କ ପାଖରେ ଅପଂହଚ । ସବୁଠୁ ବଡକଥା ହେଲା ଆବାସ ତାଲିକାରେ ତାଙ୍କର ନାଁ ରହିଥିଲେ ବି ଘରଟିଏ ମିଳିପାରିନି ତାଙ୍କୁ । ଭଗବାନଙ୍କ ଭଳି ଗାଁର ଅନ୍ୟ କିଛି ଲୋକ ମଧ୍ୟ ତାଲିକାରୁ ବାଦ୍ ପଡିଛନ୍ତି । ହେଲେ ଭଗବାନଙ୍କ ଅବସ୍ଥା ବଡ଼ ଦୟନୀୟ ହାଇପଡିଛି । ଅନଟନ ସହିତ ଶରୀର ଅସୁସ୍ଥତା କାରଣରୁ ଦହଗଂଜ ହେଉଛନ୍ତି । ସ୍ୱାସ୍ଥ୍ୟକାର୍ଡ ଖଣ୍ଡିଏ ବି ନାହିଁ ତାଙ୍କ ପାଖରେ । ସମସ୍ୟା ଭିତରେ ଘରେ ଲଣ୍ଠନ ଜାଳି ରହୁଛନ୍ତି । ପଂଚାୟତରୁ ନେଇ ବ୍ଲକ ପର୍ଯ୍ୟନ୍ତ ସମସ୍ୟା ନେଇ ଜଣାଇଛନ୍ତି । ହେଲେ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ ।