ତାଳପତ୍ରରୁ ତିଆରି ହେଉଛି ଘରକରଣା ସାମଗ୍ରୀ । ବାହାନଗା କୋଚିଆକୋଇଲି ଗାଁର ୨୨ ଜଣ ମହିଳା ହେଉଛନ୍ତି ଉପକୃତ

92

କନକ ବ୍ୟୁରୋ : ତାଳ ପତ୍ରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ତାଳ ଗଛର ପତ୍ରରୁ ଆସନ, କୁଂଚିରୁ ଫୁଲ ଡାଲା, ଭୋଗ ଡାଲା, ଛାଂଚୁଣି, ମାଛଧରା ଖଇଁଚି, ମୁଗୁରା, ଚାଉଳ ଧୂଆ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ବାଲେଶ୍ୱର ବାହାନଗା ବ୍ଲକ କୋଚିଆକୋଇଲି ଗାଁର ୨୨ ଜଣ ଏସଏଚଜି ମହିଳା ଏଭଳି କିଛି କାମ କରି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପ୍ରଥମେ ଗାଁ ଗହଳିରେ ଥିବା ତାଳ ଗଛରୁ କଂଚା ମାଲ ସଂଗ୍ରହ କରିବା ପରେ ଏହାକୁ ଶୁଖାଇ ରଖନ୍ତି ମହିଳା । ଘର କାମ ପରେ ଦିନକୁ ୬ରୁ ୭ ଘଂଟା ପରିଶ୍ରମ କରି ମାସକୁ ୮ରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏସଏଚଜି ମହିଳାଙ୍କ ବ୍ୟତିତ ଏହି କାମରେ ପାଖାପାଖି ଶହେରୁ ଅଧିକ ମହିଳା ନିୟୋଜିତ ହୋଇଛନ୍ତି ।

ମହିଳା ମାନେ ପ୍ରସ୍ତୁତ କରୁଥିବା ଏହି ସବୁ ସାମଗ୍ରୀ ଗୁଡ଼ିକ ବାରିକପୁର, ଭଦ୍ରକ, ସୋର ଅଂଚଳରେ ବିକ୍ରି କରାଯାଉଛି । ଏହା ସହ ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ଲଗାଇ ଏହାକୁ ବିକ୍ରି କରୁଛନ୍ତି ମହିଳା । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ମହିଳା ମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଗୁଡ଼ିକୁ ସାଇତି ରଖିବା ପାଇଁ ସ୍ଥାୟୀ ଗୃହଟିଏ ନାହିଁ । ପ୍ରଶାସନ ପକ୍ଷରୁ ଏକ ସ୍ଥାୟୀ ଗୃହ ଯୋଗାଇ ଦିଆଗଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।

ଦିନରେ ନିଜ ଖର୍ଚ୍ଚ ପାଇଁ ଅନ୍ୟ ମାନଙ୍କ ଉପରେ ନିର୍ଭର କରୁଥିବା ମହିଳା ଏବେ ଆତ୍ମନିର୍ଭର ହୋଇଛନ୍ତି । ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।