ପାଟକୁରା ପରେ ଫୁଲ୍ ପ୍ରେଜେଣ୍ଟ ! ନିର୍ବାଚନ ପରେ ବିଧାନସଭାକୁ ଫେରିଲେ ମନ୍ତ୍ରୀ ଓ ବିଧାୟକ

130

କନକ ବ୍ୟୁରୋ: ପାଟକୁରା ପରେ ଫୁଲ୍ ପ୍ରେଜେଣ୍ଟ ! ଏକଥା ଆମେ କହୁନୁ ବରଂ ଏଭଳି କିଛି ଦୃଶ୍ୟ ଆଜି ବିଧାନସଭାରେ ଦେଖିବାକୁ ମିଳିଛି । ଯେଉଁଠି ପାଟକୁରା ନିର୍ବାଚନକୁ ନେଇ କିଛିଦିନ ହେବ ବିଧାନସଭା ଗୃହ ଖାଲି ରହୁଥିଲା । ହଠାତ୍ ସେଥିରେ ପରିବର୍ତ୍ତନ ହୋଇଛି । ଆଉ ଗୃହରେ ଆପାତଃତ ସମସ୍ତ ଶାସକ ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ପାଟକୁରା ଭୋଟ୍ ପରେ ଫୁଲ ପ୍ରେଜେଣ୍ଟ । ଗୋଟିଏ ପଟେ କିଛି ଦିନ ପୂର୍ବେ ଯେଉଁଠି ବିଧାନସଭାରେ ବିଧାୟକ ଓ ମନ୍ତ୍ରୀ ମରୁଡ଼ି ଚିତ୍ର ଦେଖାଯାଉଥିଲା । ଆଜି ସେଥିରେ ପରିବର୍ତ୍ତନ ହୋଇଛି । ଆଉ ନିଜ ନିଜ ଦାୟିତ୍ୱ ସାରି ଘରବାହୁଡ଼ିଲା ଭଳି ଗୃହରେ ଉପସ୍ଥିତ ହୋଇଛନ୍ତି । ତେବେ ପୂର୍ବରୁ ଗୃହରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ଅନୁପସ୍ଥିତ ରହିବା ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଥିଲା । ଏପରିକି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ତାରକା ପ୍ରଶ୍ନ ବାଣ ମାରୁଥିଲେ ବିରୋଧୀ ।

ଅନ୍ୟପଟେ ବିରୋଧୀଙ୍କ ପ୍ରଶ୍ନବାଣର ସମ୍ନା କରିବାକୁ ବିଭାଗୀୟମନ୍ତ୍ରୀଙ୍କ ବଦଳରେ ଇନଚାର୍ଜ ମନ୍ତ୍ରୀ ଉତ୍ତର ରଖୁଥିବା ଦେଖିବାକୁ ମିଳିଥିଲା । ଆଉ ଏହାକୁ ନେଇ ମଧ୍ୟ ଗୃହରେ ଗରମ ଦେଖାଦେଇଥିଲା । କାରଣ ବିଧାନସଭାରେ ଅନୁପସ୍ଥିତ ଥିବା ବିଧାୟକ ଓ ମନ୍ତ୍ରୀଙ୍କମାନେ ପାଟକୁରା ଜଗିଛନ୍ତି ବୋଲି ଅଭିଯୋଗ ଆଣୁଥିଲେ ବିରୋଧୀ । ହେଲେ ଭୋଟ୍ ସରିବା ପରେ ଏବେ ଶାସକ ଦଳର ସବୁ ମନ୍ତ୍ରୀ ଏବଂ ବିଧାୟକ ଗୃହରେ ଉପସ୍ଥିତ ରହିଛନ୍ତି । ଆଉ ଗୋଟିଏ ପରେ ଗୋଟିଏ ବିରୋଧୀଙ୍କ ଠାରୁ ଆସୁଥିବା ପ୍ରଶ୍ନବାଣର ପ୍ରତି ଜବାବ ରଖୁଛନ୍ତି ଶାସକ ଦଳର ବିଭାଗୀୟମନ୍ତ୍ରୀ ।