କରୋନା କାଳରେ ଭୁବନେଶ୍ୱରରୁ ଆସିଲା ଘରଭଡ଼ା କଳିର କାହାଣୀ: ଘର ଭଡ଼ାକୁ ନେଇ ଥାନାରେ ପହଂଚିଥିଲେ ଭଡ଼ାଟିଆ ଓ ମାଲିକ; ଥାନାରେ ହେଲା ମିମାଂଶା

୨ ମାସ ଯାଏଁ ଘରଭଡ଼ା ଦେବେ ନାହିଁ ଭଡ଼ାରେ ରହୁଥିବା କଳାକାର

942

କନକ ବ୍ୟୁରୋ: କରୋନା ସମୟରେ ଦୋହଲି ଯାଇଛି ସବୁ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ଏଭଳି ସମୟରେ ଘରଭଡା ଦେବା ଭଡାଟିଆଙ୍କ ପକ୍ଷେ ମୁସକିଲ ହୋଇପଡିଛି । ପରିସ୍ଥିତି ଏପରି ହୋଇଛି  ଥାନାରେ ଯାଇ ପହଁଚିଛି ଘରଭଡା କଳି । ଆଉ ଥାନାରେ ବୁଝାମଣା ପରେ ଘରଭଡା ଛାଡ କରିଛନ୍ତି ମାଲିକ ।

କରୋନା ପାଇଁ କାମ ନମିଳିବାରୁ ଘର ଭଡା ଦେଇ ପାରି ନାହାଁନ୍ତି କଳାକାର ଅଂଶୁମାନ ନାୟକ । ଘରଭଡା ଦେବାକୁ ନିଜର ଆର୍ଥିକ ଅସୁବିଧା ସମ୍ପର୍କରେ ଘରମାଲିକଙ୍କୁ ଜଣାଇବା ପରେ ଥାନାରେ ପହଁଚିଥିଲେ ଉଭୟ ପକ୍ଷ । ତାପରେ ଚନ୍ଦ୍ରଶେଖରପୁର ଥାନାରେ ବସି ନିଳାଦ୍ରୀବିହାରରେ ଭଡାରେ ରହୁଥିବା ଅଂଶୁମାନ ଓ ମାଲିକଙ୍କ ମଧ୍ୟରେ ହୋଇଛି ବୁଝାମଣା । ଆଉ ତାପରେ ଦୁଇ ମାସର ଘରଭଡା ୨୬ ହଜାର ଟଙ୍କା ଛାଡ କରିଛନ୍ତି ଘର ମାଲିକ ।

ଗୀତ ଗାଇ ଅନ୍ୟମାନଙ୍କ ମନୋରଞ୍ଜନ କରି ବେଶ୍ ଭଲ ଦିପଇସା ରୋଜଗାର କରୁଥିଲେ ଅଂଶୁମାନ । ହେଲେ କରୋନା ମହାମାରୀ  ତାଙ୍କ ରୋଜଗାରକୁ ଛଡାଇ ନେଇଛି । ଏପରିକି ବକେୟା ପଡିଥିବା ଟଙ୍କା ମଧ୍ୟ ମିଳୁ ନାହିଁ । ଫଳରେ ଘରଭଡା ଦେବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । କରୋନା ମହାମାରୀ ସବୁ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିକୁ ବିଗାଡି ଦେଇଛି । ଏଭଳି ସମୟରେ ଘରଭଡା ଦେବା ଭଡାଟିଆଙ୍କ ପାଇଁ ଏକ ପ୍ରକାର ମୁସକିଲ ହୋଇପଡିଛି । ପରିସ୍ଥିତିକୁ ନଜରରେ ରଖି ଘରଭଡା ଛାଡ କରିବାକୁ ପୂର୍ବରୁ ଘର ମାଲିକମାନଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ।