୪ର୍ଥ ଦିନରେ ସ୍ୱାଭାବିକ ହେଲା ଗୃହ । ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ ।

165

କନକ ବ୍ୟୁରୋ : ୩ ଦିନ ପରେ ସ୍ୱାଭାବିକ ହେଲା ଗୃହ । ଲଗାତାର ୩ ଦିନ ହେବ ଗୃହକାର୍ଯ୍ୟ ଅଚଳ ହେଉଥିଲା । ଉଭୟ ବିରୋଧୀ ଓ ଶାସକ ଦଳର ନାରାବାଜି କାରଣରୁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନଥିଲା । କିନ୍ତୁ ବାଚସ୍ପତି ପ୍ରମିଳା ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ପରେ ଚଳିତ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଆଜି ଗୃହରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗର ଆଲୋଚନା ହେବ ।
.

ଏହାପୂର୍ବରୁ ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଅଚଳ ହୋଇଯାଇଥିଲା ପ୍ରଥମାର୍ଦ୍ଧ । ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବି ଆଲୋଚନା ହୋଇପାରିନଥିଲା । ଗୃହ ନଚାଲିବାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ଅଭିଯୋଗ ଆଣି କହିଥିଲେ, ବିଜେଡି ଓ କଂଗ୍ରେସ ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ବିଜେଡି ସହ ମିଶି କଂଗ୍ରେସ ଭିନ୍ନ ଏକ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣିଥିଲା ବୋଲି ବିଜେପି ଅଭିଯୋଗ କରଥିଲା । ଏହାକୁ କାଂଉଟର କରିଥିଲା କଂଗ୍ରେସ । ଗୃହ ଚାଲି ନପାରିବାରୁ, ବିଜେପି ବିଧାୟକଙ୍କ ଅଭିଯୋଗକୁ ନେଇ ରୁଲିଂ ଦେଇଥିଲେ ବାଚସ୍ପତି । ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ପୂର୍ବରୁ କାହିଁକି ଜଣାଯାଇନଥିଲା ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ଅପରାହ୍ନରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା । ଆଗତ ହୋଇଥିଲା ପୌର ବିଧି ସଂଶୋଧନ ବିଲ୍ ।