କନକ ବ୍ୟୁରୋ : ସ୍ୱାଭାବିକ ହେଲା ବିଧାନସଭା ଗୃହ କାର୍ଯ୍ୟ । ତିନି ଦିନ ପରେ ଆଜି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ବିଧାନସଭାର ପ୍ରଶ୍ନକାଳରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ଆଲୋଚନା ହୋଇଛି । ରାଜ୍ୟରେ ଆଉ ୨୪ଟି ନୂଆ ଆଇଟିଆଇ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ବର୍ତମାନ ୪୯ଟି ସରକାରୀ ଆଇଟିଆଇ ରହିଥିବା ବେଳେ ୪୪୮ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି । ତାଲିମ ଦେବା ଉପରେ ପ୍ରାଧାନ୍ୟ ଦିଆଯାଉଛି, କିନ୍ତୁ ନିଯୁକ୍ତି କ୍ଷେତ୍ରରେ ଫୋକସ୍ ଦିଆଯାଉନି ବୋଲି ମନ୍ତ୍ରୀ କହିଛନ୍ତି । ପିଲାଙ୍କୁ ନିଯୁକ୍ତି ଦେବା କାର୍ଯ୍ୟ ସରକାରଙ୍କ ଦ୍ୱାୟିତ୍ୱ ବିଭାଗ କେବଳ ତାଲିମ ଦେଇଥାଏ ବୋଲି ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।
ସେହିଭଳି କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଗଠନ କରିବାକୁ ପଦକ୍ଷେପ ନିଆଯାଉଛି । ସୁନ୍ଦରଗଡ, ଯାଜପୁର,ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲା ପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି। ଆବଶ୍ୟକ ସ୍ଥଳେ ହଷ୍ଟେଲ ନିର୍ମାଣ କରାଯିବ। ୧୧ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି। କଟକରେ ବକ୍ସିବଜାର,ବଜ୍ରକବାଟି ରୋଡ଼ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ଗତ ୩ ଦିନ ହେବ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ କରିଥିଲେ । କେତେବେଳେ ମହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ସଂପୃକ୍ତି ନେଇ ବିଜେପି ହୋ-ହାଲ୍ଲା କରିଥିଲା ତ ପୁଣି କେତେବେଳେ ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତିକୁ ନେଇ କଂଗ୍ରେସ ଗୃହକୁ ଚଳାଇ ଦେଇନଥିଲା । ଲଗାତାର ୩ ଦିନ ହେବ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଶ୍ନକାଳ ଚାଲିବା ସମ୍ଭବପର ହୋଇନଥିଲା । ତେବେ ଗତକାଲି ସର୍ବଦଳୀୟ ବୈଠକ ଡାକି ଆଲୋଚନା ପରେ ଆଜି ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/17-4.jpg)