ପାଣିରେ ବୁଡିଛି ଚାଳଛପର ଘର। କ୍ୟାମେରା ଦେଖିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ସ୍ଥିତି ।

75

କନକ ବ୍ୟୁରୋ: ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର କଳିରେ ମାତିଥିବାବେଳେ ବନ୍ୟା ପ୍ରକୃତ ସ୍ଥିତିକୁ ଧରାଇଦେଇଛି । ନିମାପଡା ବ୍ଲକ କୋଟକୁସାଙ୍ଗ ପଞ୍ଚାୟତ ବକୁଗ୍ରାମରେ ଏହାର ବାସ୍ତବ ଦୃଶ୍ୟ ସାମ୍ନାକୁ ଆସିଛି । ପାଣି ଭିତରେ ବୁଡିଯାଇଛି ଝାଟିମାଟି କାନ୍ଥର ଛାଳଛପର ଘର । ଚାରିିଦିନ ହେଲା ପାଣି ପଶି ଭେଦିବା ପରେ ଓଦା କାନ୍ଥ ଏବେ ଭାଙ୍ଗିବାକୁ ବସିଲାଣି । ହେଲେ କହିବେ ବା କାହାକୁ ସରକାରଙ୍କ ପକ୍ଷରୁ ଘରଖଣ୍ଡିଏ ମିଳିନଥିବାରୁ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଲୋକେ ।

ମହାନଦୀ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବାଙ୍କି ଅଞ୍ଚଳର ବିଭିନ୍ନ ଗାଁରୁ ଜଳସ୍ତର ଧିରେ ଧିରେ ଛାଡିବାରେ ଲାଗିଛି । ଗୋଳାଗୋଣ୍ଡ ଗାଁର ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପାଣି ଛାଡିବା ପରେ ଲୋକମାନେ ବନ୍ଧ ଉପରୁ ଆସି ଭାଙ୍ଗିଯାଇଥିବା ଘର ସଜାଡିବାରେ ଲାଗିଛନ୍ତି । ହେଲେ ପ୍ରଶାସନ ସେମାନଙ୍କୁ ଘରେ ଖଣ୍ଡିଏ ଯୋଗାଇ ଦେଉନଥିବାରୁ ପ୍ରତିବର୍ଷ ଏମିତି ଅସୁବିଧାର ସମ୍ମୁଖୀନ ହେଉଥିବା କ୍ଷୋଭର ସହ କହିଛନ୍ତି ।

ଲୁଣା ଓ ଚିତ୍ରୋତ୍ପଳା ନଦୀର ପାଣି ପଶିଯିବା ପରେ ଏବେ ସାହା ଭରସା ପାଲଟିଛି ପଲିଥିନ୍ । ମାର୍ଶାଘାଇ ବ୍ଲକ କୁଶୁନପୁର ଗାଁରେ ପାଣି ପଶିଯିବା ପରେ ଯେଉଁମାନେ ଚାଳଛପର ଘରେ ରହୁଥିଲେ ସେମାନଙ୍କ ଘର ଭାଙ୍ଗିଯାଇଛି । ଆଉ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଏମିତି ପଲିଥିନ୍ ଟାଣି ରହୁଛନ୍ତି ଲୋକେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପଲିଥିନ୍ ତଳେ ଲୋକଙ୍କ ସହ ରହୁଛନ୍ତି ଗୃହପାଳିତ ପଶୁ ।