ରାତି ଅଧରେ କାଳବୈଶାଖୀ ତାଣ୍ଡବ : ବଜ୍ରପାତରେ ଜଳିଗଲା ୩ ବଖରା ଘର; ୨ ଜଣ ଆହତଙ୍କୁ କଟକ ଡାକ୍ତରଖାନରେ ଭର୍ତ୍ତି

211

କନକ ବ୍ୟୁରୋ : କାଳବୈଶାଖୀ ଦେଖାଇଛି ତାର କରାଳ ରୂପ । ରାତି ଅଧରେ ମଚାଇଛି ତାଣ୍ଡବ । ଶୂନଶାନ ରାତିରେ ଛାରଖାର କରିଦେଇଛି ଅନେକ କିଛି । ସବୁଠାରୁ ବଡ ଅଘଟଣ ଘଟିଛି କୁଜଙ୍ଗ ବ୍ଲକ ଜିଲ୍ଲନାସୀ ପଞ୍ଚାୟତର ବରିହାଡିଆ ଗାଁରେ । ବଜ୍ରପାତରେ ଏହି ଗାଁର ରାଧେଶ୍ୟାମ ପରିୁଡାଙ୍କ ଘରେ ନିଆଁ ଲାଗିଯାଇଥିଲା । ଘଡଘଡିର ପ୍ରଚଣ୍ଡ ଶବ୍ଦ ସହ ହୁତୁହୁତୁ ହୋଇ ଜଳିଯାଇଛି ୩ ବଖରା ଘର । ନିଆଁ ଲାଗିବା ପରେ ଘରେ ଥିବା ଗ୍ୟାସ ସିଲିିଣ୍ଡର ମଧ୍ୟ ଫାଟିଯାଇଥିଲା ।

ଫଳରେ ନିଆଁ ଅଧିକ ମାତ୍ରାରେ ବ୍ୟାପି ଯାଇଥିଲା । ନିଆଁଲାଗି ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଘରର ସମସ୍ତ ଆସବାବପତ୍ର ପୋଡି ପାଇଁ ହୋଇଯାଇଛି । ନିଆଁର ପ୍ରଭାବ ଏତେ ମାତ୍ରାରେ ଅଧିକ ଥିଲା ଯେ ତାହାକୁ ଲିଭାଇବାକୁ ସାହସ ଜୁଟାଇ ପାରିନଥିଲେ ଗାଁ ଲୋକ । ନିଆଁ ଲାଗି ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତ ଦ୍ୱୟ ହେଲେ ଲତିକା ପରିଡା ଓ ସଜଂୟ ପରିଡା । ସେମାନଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।