କନକ ବ୍ୟୁରୋ: କୂଳ ଖାଉଛି ମହାନଦୀ। ଧୀରେଧୀରେ ଅତଡା ଖାଇ ମାଡି ଆସୁଛି ଜନବସତି ଆଡ଼କୁ। ଚାଷଜମି ନଦୀ ଗର୍ଭରେ ଲୀନ ହୋଇଗଲାଣି। କୋଠାଘର ସହ ବଡ଼ବଡ଼ ଗଛ ବି ନଦୀ ମୁହଁରୁ ବର୍ତି ପାରୁନାହିଁ। ପ୍ରତିବର୍ଷ ବନ୍ୟା ପାଣି ଆସିଲା ପରେ ବଢିଯାଏ ଚାଷୀଙ୍କ ଦୁଃଖ। ଏବେ ଚାଷ ସହ ବାସକୁ ନେଇ ବି ବିପଦ ଆଶଙ୍କା କରାଯାଉଛି।
ଯିଏ ଆହାର ଦିଏ, ସିଏ ଜୀବନ ଜୀବିକା ଛଡେଇ ନିଏ। ସୁଖ ଠାରୁ ଅଧିକ ଦୁଃଖ ଦିଏ। ସିଏ କିଏ ଜାଣିଛନ୍ତି, ସିଏ ହେଉଛି ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ। ଯେଉଁ ନଦୀ ଜଳରେ ଚାଷ ହୁଏ, ଶୋଷ ମେଂଟେ, ସେ ନଦୀ ଏବେ ଗାଁ ଗିଳିବାକୁ ବସିଛି। ଜମି, ଗଛ, ଘରଦ୍ୱାର ସବୁ ନିଜ ଗର୍ଭକୁ ନେଇ ଯାଉଛି। ନଇକୂଳିଆ ଲୋକଙ୍କ ନିଦ ହଜେଇ ଦେଇଛି। ସାଲେପୁର ବ୍ଲକ ତେନ୍ତଳ ଓ ମଧ୍ୟକଛ ପଂଚୟତ ଅଂଚଳରେ ମାତ୍ର ଦିନ କେଇଟାରେ ଖାଇଗଲାଣି ୫ଶହ ମିଟରରୁ ଅଧିକ ପଠା ।
ନଇକୁଳିଆ ଲୋକଙ୍କ ଭାତହାଣ୍ଡି କହିଲେ ଚାଷ ଜମି। ମହାନଦୀ ପାଣିକୁ ଭରସା କରି ବର୍ଷକ ବାରମାସ ବିଭିନ୍ନ ପ୍ରକାର ଚାଷ କରନ୍ତି। ତାକୁ ବିକି ଗୁଜୁରାଣ ମେଣ୍ଟାଇଥାନ୍ତି। ଗ୍ରାହକଙ୍କୁ ଆହାର ଯୋଗାଇଥାନ୍ତି। ଏବେ ପ୍ରତିମୁହୂର୍ତରେ ଅତଡା ଖାଇ ମାଡି ଜନବସତି ଆଡ଼କୁ ମାଡ଼ି ଆସୁଛି ମହାନଦୀ। ତେଣୁ ଜମିରେ ଆଉ ଫସଲ ଲଗାଇବାକୁ ସାହସ କରିପାରୁନାହାନ୍ତି ଚାଷୀ।
ବନ୍ୟା ବେଳେ ୧୦ ଫୁଟରୁ ଉଚ୍ଚ ପାଣି ଚାଷ ଜମିରେ ମାଡ଼ି ଯାଉଛି। ପାଣି ସୁଅରେ ଫସଲ ଭାସି ଯାଇଥାଏ। ଚାଷୀଙ୍କ କ୍ଷୟକ୍ଷତିକୁ ଦେଖି ପ୍ରଶାସନ ପକ୍ଷରୁ ଘେରି ବନ୍ଧ, ପଥର ସ୍ପର କି ଗୁରୁଜ କରାଯାଆନ୍ତା ତେବେ ବିରାଟ ସମସ୍ୟାରୁ ମୁକ୍ତି ମିଳିପାରନ୍ତା।
Follow Us