ଗଞ୍ଜାମ : ନିଆଁର କୋପରେ ଜଳିଗଲା ଗାଁ । ପୋଡି ପାଉଁଶ ହୋଇଗଲା ୫୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି । ଖୋଲା ଆକାଶତଳେ ସର୍ବସ୍ୱ ହରାଇଥିବା ୩୦ ପରିବାର । ବିପନ୍ନ ଏବେ ପୋଡା ପାଉଁଶ ତଳୁ ଘରର ଆସବାବପତ୍ର ସାଉଁଟୁଛନ୍ତି । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ବଣିଆବସା ଗାଁରେ । ବଣିଆବସାଗାଁ ପାହାଡ ଉପରେ ବସବାସ କରନ୍ତି ୩୦ଟି ଆଦିବାସୀ ପରିବାର । ଗତକାଲି ହଠାତ୍ ଏହି ବସ୍ତିରେ ନିଆଁ ଲାଗିବାରୁ ସବୁକିଛି ପୋଡି ଯାଇଛି । ଏବେ କେବଳ ଘରର କାଂଥ ଠିଆ ହୋଇଛି । ଖାଦ୍ୟ ସାମଗ୍ରୀ ବି ଜଳି ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏବେ ବେସାହାରା ଏଠାକାର ଲୋକେ । ଗାଁକୁ ଗମନାଗମନ ପାଇଁ ସୁବିଧା ନଥିବାରୁ ଦମକଳବାହିନୀ ପହଂଚିବାରେ ବିଳମ୍ବ ହେଲା । ଫଳରେ ନିଆଁକୁ ଆୟତ କରିବାରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ  ଅଗ୍ନି ବିପନ୍ନମାନେ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ।