କନକ ବ୍ୟୁରୋ : ଆଲୋକର ପର୍ବ ଦିପାବଳୀକୁ ନେଇ ଲୋକଙ୍କ ମନରେ କେତେ କଣ ଉତ୍ସାହ । ଘର ଅଗଣା ଓ ଚଉରା ମୂଳେ ଦୀପ ଜଳିବ, ଆଉ ସେହି ନିଆଁରେ ଦୁଃଖ କଷ୍ଟ ଦୂର ହେବ । ହେଲେ ଦୀପାବଳୀ ପୂର୍ବ ରାତିରେ ଜଳିଥିବା ନିଆଁ, କାହା ଘର ଆଲୋକିତ କରିବା ବଦଳରେ ଅନ୍ଧକାର ନେଇ ଆସିଛି । ଘରେ ସମସ୍ତ ଶୋଇଥିବା ବେଳେ ହଠାତ୍ ନିଆଁ ଗୋଟିଏ ପରିବାରର ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ଏଭଳି ଏକ ଦୁଃସମୟର ସାମ୍ନା କରିଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳରାମପୁର ପାଟଣାସାହିର ଆମିନ ଭୋଇଙ୍କ ପରିବାର ।

Advertisment

ଏବେ ପାଖରେ ନା ଘର ଅଛି ନା ଆଲୁଅର ପର୍ବ ପାଳିବାକୁ ମନରେ ସରାଗ ଅଛି । ଆଉ ଚଉରା କି ଘର ଏରୁଣ୍ଡି ବନ୍ଧ ପାଖରେ ଜଳିବନି ଦୀପ । କାରଣ ଏମାନଙ୍କୁ ବେଘର କରି ଦେଇଛି ନିଆଁ । ପୋଡି ଅଙ୍ଗାର ହୋଇଯାଇଛି ଆମିନଙ୍କ ୨ ବଖରା ଘର ଏବଂ ଘରେ ଥିବା ବର୍ଷକର ଆହାର ଓ ଆସବାବପତ୍ର । କେବଳ ପିନ୍ଧିଥିବା ବସ୍ତ୍ରକୁ ଛାଡି ଦେଲେ ଧାନ, ଚାଉଳ, ବିରି, ମୁଗ, ଖଟ, ଟିଭି, ପିଲାଙ୍କ ପଢା ବହି, ଘରର ଜମି ପଟା ସବୁ ନିଆଁ ଆଁରେ ଧ୍ୱଂସ ହୋଇଯାଇଛି ।

ତେବେ ବିଳମ୍ବିତ ରାତିରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସ୍ଥାନୀୟ ସରପଂଚ ଓ ସମିତି ସଭ୍ୟ ବିପନ୍ନଙ୍କ ପାଖରେ ପହଂଚି ପାଲ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି ।