କନକ ବ୍ୟୁରୋ: ଦୂରରୁ ହୁଏତ ଏହା ଆପଣଙ୍କୁ ଘରପୋଡିର ଦୃଶ୍ୟ ଭଳି ଲାଗିପାରେ କିମ୍ବା ପିଲାବେଳେ ଘରପୋଡିର ରଚନା ଲେଖିବାକୁ କହିଲେ ଆମେ ଯେଉଁ ଦୃଶ୍ୟକୁ ଆଖି ସାମ୍ନାକୁ ଆଣୁ ଏହା ତାହା ହୋଇପାରେ... କିନ୍ତୁ ଏଠି ଖାଲି ଘରପୋଡୁନି ବରଂ ଏଠି ଜଳି ଯାଉଛି ମନ, ପୋଡି ଯାଉଛି ପୁଳାପୁଳା ସ୍ମୃତି । ଘରର ଜିନିଷପତ୍ର ସହ ପୋଡି ପାଉଁଶ ହୋଇଯାଇଛି ସ୍ୱାମୀଙ୍କ ଶେଷ ସନ୍ତକ, ଶେଷ ସମ୍ପତ୍ତି, ଶେଷ ସ୍ମୃତି... ସ୍ୱାମୀଙ୍କ ମୃତ୍ୟୁ ପରେ ଯାହା କିଛି ଥିଲା ତାହା ଆଜି ନିଆଁର ଆରେ ନଷ୍ଟ ହୋଇଯିବା ପରେ ସେ ଦୁଃଖ ସ୍ତ୍ରୀ ଲକ୍ଷ୍ମୀଙ୍କ ଆଖିରୁ ଲୁହ ହୋଇ ଝରିଯାଉଛି...
ଘରପୋଡି ସବୁକିଛି ନେଇଯାଏ, ସର୍ବସ୍ୱାନ୍ତ କରିଦିଏ । ଯାହାର ଯନ୍ତ୍ରଣାଦାୟକ ଦୃଶ୍ୟ କେନ୍ଦୁଝର ହାଟଡିହି ଅପସର ଗାଁରୁ ଆସିଛି । ଆଉ ନିଆଁ ଆଁରେ ୨ଟି ପରିବାରର ୩ ବଖରା ଘର ଜଳି ଯିବା ପରର ଚିତ୍ର କେତେ କରୁଣ ତାହା ଯିଏ ଦେଖିଛି ସିଏ ଜାଣିଛି । ନିଆଁରେ ପୋଡି ଅଙ୍ଗାର ହୋଇଯାଇଛି ବର୍ଷକର ଆହାର, ଖଟ ପଲଙ୍କ, ଲୁଗାପଟା, ବାସନକୁସନ, ଆସବାବପତ୍ର । ଯାହା ପୋଡା ପାଉଁଶ ତଳୁ ବାହାର କରିବା ମୁସ୍କିଲ...
ଜିନିଷ ପତ୍ର ଜଳିଯିବା ଯେତିକି ଯନ୍ତ୍ରଣା ଦେଲା ତାଠୁ ଲକ୍ଷ୍ମୀଙ୍କୁ କଷ୍ଟ ଦେଲା ସ୍ୱାମୀଙ୍କ ଶେଷ ସନ୍ତକ ପୋଡି ପାଉଁଶ ହୋଇଯିବା । ମୃତ୍ୟୁ ପରେ ପାଖରେ ସ୍ୱାମୀ ନଥିଲେ ସତ କିନ୍ତୁ ଲକ୍ଷ୍ମୀଙ୍କ ପାଖରେ ଥିଲା ସ୍ୱାମୀଙ୍କ ଶେଷ ସନ୍ତକ ସୁନା ମୁଦି, ସୁନା ହାର । ଯାହାକୁ ଦେଖି ସେ ସ୍ୱାମୀଙ୍କ କଥା ମନେପକାନ୍ତି, ସ୍ୱାମୀଙ୍କ ପାଇଁ କାନ୍ଦନ୍ତି, ସ୍ୱାମୀଙ୍କ ଉପସ୍ଥିତିକୁ ଅଦୃଶ୍ୟରେ ଅନୁଭବ କରନ୍ତି । କିନ୍ତୁ ହାଏ, ନିଆଁ ସେତକ ବି ଜାଳିଦେଲା...
ସ୍ୱାମୀ ଗଲା ପରେ ଲକ୍ଷ୍ମୀ ବହୁ କଷ୍ଟରେ ପରିବାର ଚଳାଇଛନ୍ତି । ଜୀବନରେ ଅନେକ ଅଭାବ, ଅନେକ ଝଡଝଞ୍ଜା ଆସିଛି । ଚଳିବାକୁ ବି ସମସ୍ୟା ହୋଇଛି । ଏମିତି ହୋଇଛି ପେଟ ଖାଲି ରହିଛି, ପାଣି ପିଇ ରାତିରେ ଉପାସ ଶୋଇବାକୁ ବି ପଡିଛି । କିନ୍ତୁ ସ୍ୱାମୀଙ୍କ ସୁନା ମୁଦି କିମ୍ବା ସୁନା ହାର ବିକିବାକୁ କେବେ ହାତ ଯାଇନି । କାରଣ- ସେ ସୁନା ମୁଦି ହିଁ ସେମାନଙ୍କ ସମ୍ପର୍କର ଶେଷ ସନ୍ତକ ଥିଲା, ଶ୍ରେଷ୍ଠ ସ୍ମୃତି ପାଲଟିଥିଲା । କିନ୍ତୁ ଅହନ୍ତାନଗା ନିଆଁରେ ସେ ସ୍ମୃତି ଜଡସଡ ଅମୂଲ୍ୟ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଗଲା... ସତରେ ଘରପୋଡି ଭିତରେ ଏ ସ୍ମୃତି ପୋଡିର କାହାଣୀ ସମସ୍ତଙ୍କୁ କନ୍ଦେଇଦେଲା ।