ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ମହାଭିଯୋଗର ହେବ ଭୋଟିଂ  । ପ୍ରତିନିଧୀ ସଭାରେ  ଭୋଟିଂ ପାଇଁ ସରିଲାଣି ସବୁ ପ୍ରକ୍ରିୟା 

701

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ନେଇ ଭୋଟିଂ ହେବ । ଏଥିନେଇ ସବୁ ପ୍ରକ୍ରିୟା ଶେଷ ହୋଇସାରିିଛି । ଆମେରିକାର ପ୍ରତିନିଧି ସଭା ମହାଭିଯୋଗ ନେଇ ଭୋଟିଂ ନିଷ୍ପତିକୁ ଔପଚାରିକ ରୂପ ଦେଇସାରିଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁରେ  ଦୁର୍ନୀତି ବିରୋଧ ମାମଲାର ତଦନ୍ତରେ ୟୁକ୍ରେନ୍ ଉପରେ ଚାପ ପକାଇଥିବା ଅଭିଯୋଗ । ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଟ୍ରମ୍ପ । ଆମେରିକାର ଜାତୀୟ ଗଣମାଧ୍ୟମ ଏଜେନ୍ସି ଏଏଫପି ସୂଚନା ଅନୁସାରେ ଆମେରିକା କଂଗ୍ରେସର ନିମ୍ନ ସଦନ ଟ୍ରମ୍ପଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଛି । ଟ୍ରମ୍ପ ନିଜର ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ ପାର୍ଟିର ନେତା ଜୋ ବାଇଡେନ ଏବଂ ତାଙ୍କ ପୁଅ ବିରୋଧରେ ୟୁକ୍ରେନର ଗ୍ୟାସ୍ ଏଜେନ୍ସି ବୁରିସ୍ମାର ଏକ ଭିତିହୀନ ଅଭିଯୋଗର ତଦନ୍ତ ପାଇଁ ୟୁକ୍ରେନ ଉପରେ ଚାପ ପକାଇଥିବା ନେଇ ଅଭିଯୋଗରେ ଛନ୍ଦି ହୋଇଛନ୍ତି ।

image courtesy – www.politico.eu

ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍ସି ପଲୋସୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ତେବେ ଏହି ମହାଭିଯୋଗ ପ୍ରସ୍ତାବ ଭୋଟିଂକୁ ଗଲେ ମଧ୍ୟ ଏହା ପାରିତ ହେବା କଷ୍ଟକର ହେବ । କାରଣ ଆମେରିକାର ସିନେଟରେ ରିପବ୍ଲିକାନ୍ ପାର୍ଟି ବହୁମତରେ ରହିଛି । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ହେଲେ ୨୦ ଜଣ ରିପବ୍ଲିକାନ୍ ସାଂସଦଙ୍କ ଭୋଟ୍ ଟ୍ରମ୍ପଙ୍କ ବିରୋଧରେ ଯିବା ଆବଶ୍ୟକ ।  ଆମେରିକାର ସଂଘୀୟ ବ୍ୟବସ୍ଥା ଅନୁସାରେ ଏଠାରେ ଦୁଇ ସଦନ ରହିଛି । ଗୋଟିଏ ପ୍ରତିନିଧି ସଭା ଓ ଅନ୍ୟଟି ସିନେଟ୍ । ଆମେରିକାର ସଂବିଧାନ ଅନୁସାରେ ପ୍ରତିନିଧି ସଭାରେ ବହୁମତ ପାଇବା ପରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।