ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ । 

129

କନକ ବ୍ୟୁରୋ :କୋଭିଡ କଟକଣା ଭିତରେ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ତେବେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନ ପାଇଁ ବିଧାନସଭାର ରୂପରେଖ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ।

କରୋନା କଟକଣା ଭିତରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିବେଶନ ଆରମ୍ଭରୁ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା ଓ ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଭିସିରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସେହିଭଳି ଅନ୍ୟ କିଛି ବରିଷ୍ଠ ବିଧାୟକ ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ଥିବା ବେଳେ ଆଉ କିଛି ବିଧାୟକ ଜିଲ୍ଲା ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରୁ ଯୋଗ ଦେଇଛନ୍ତି ।

ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଉପସ୍ଥିତ ଥିବା ବେଳେ କଂଗ୍ରେସ ବିଧାୟକ ମଧ୍ୟ ଚଳିତ ଅଧିବେଶନରେ ସାମିଲ ହୋଇଛନ୍ତି । କୋଭିଡ ପାଇଁ ଗୃହ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପ୍ରତ୍ୟେକ ସଦସ୍ୟଙ୍କ ଆସନ ଆଗରେ କାଚ ସିଲ୍ଡ ଲଗାଯାଇଛି । ଏହାବାଦ୍ ଦର୍ଶକ ଗ୍ୟାଲେରୀ ଓ ବାଚସ୍ପତି ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କରୋନା ପାଇଁ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ମାସ୍କ ସହ ଗ୍ଲୋବସ ବ୍ୟବହାର କରିଛନ୍ତି । ଚଳିତ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିବା ବେଳେ ଭିସି ମାଧ୍ୟମରେ ବିଧାନସଭା ଅଧିବେଶନରେ ସାମିଲ ହେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।