ବିଧାନସଭାରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ହଟ୍ଟଗୋଳ ଭିତରେ ଉପସ୍ଥାପନ ହେଲା ୮ଟି ବିଲ୍, ସୋମବାର ଯାଏଁ ଗୃହ ମୁଲତବୀ ।

208

କନକ ବ୍ୟୁରୋ : ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅପରାହ୍ନ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଗୃହରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା । ତେବେ ଗୃହରେ ଉଭୟ ଶାସକ ଏବଂ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ତେଣୁ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆଜି ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ପ୍ରଥମଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଛନ୍ତି । ଗତକାଲି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

ଦେବଗଡ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜେଡି ବିଧାୟକମାନେ ପ୍ରଥମେ ନିଜ ନିଜ ଆସନରେ ବସି ପାଟିତୁଣ୍ଡ କରିଥିଲେ । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଙ୍ଗାମା କରଥିଲେ । ବିରୋଧୀ ଦଳର ସଦସ୍ୟଙ୍କ ଏଭଳି ଆଚରଣ ଗୃହର ମର୍ଯ୍ୟାଦା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଶାସକ ଦଳର ସଭ୍ୟ । ସେପଟେ ପୁଣି ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟ ମଧ୍ୟ ଗୃହ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଫଳରେ ଗୃହ ବାରମ୍ବାର ମୁଲତବୀ ଯୋଗୁଁ ଚାଲିପାରିନଥିଲା ।