ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ । ଷଷ୍ଠ ଦିନରେ ବି ସମାନ ଅବସ୍ଥା, ଚାଲିପାରିଲାନି ଗୃହ, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ ।

62

କନକ ବ୍ୟୁରୋ : ୬ଷ୍ଠ ଦିନରେ ବି ଗୃହ ଅଚଳ । ମମିତା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ଆସନ୍ତାକାଲି ସାଢେ ୧୦ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତେବେ ଗୃହ ମୁଲତବୀ ପୂର୍ବରୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁର୍ନବାର ସଂକଳ୍ପ ଆଣିଲେ ରାଜ୍ୟ ସରକାର । ହୋ ହାଲ୍ଲା ଭିତରେ ଗୃହରେ ସଂକଳ୍ପ ପାରିତ ହୋଇଛି ।

ଏହାପୂର୍ବରୁ ମଧ୍ୟ ଆଜି ସକାଳେ ଗୃହ ଆରମ୍ଭରୁ ହିଁ ଉଭୟ ବିରୋଧୀ-ଶାସକ ଦଳ ଗୃହର ମଧ୍ୟଭାଗକୁ ଆସି ପରସ୍ପର ବିରୋଧରେ ନାରାବାଜି କରିଥିଲେ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟକୁ ଆସି ଘଣ୍ଟା ବାଡେଇ ପ୍ରତିବାଦ କରିଥିଲେ । ସେହିପରି ଶାସକ ଦଳର ସଦସ୍ୟମାନେ ମଧ୍ୟ ଗୃହରେ ଗଙ୍ଗା ଜଳ ପକାଇଥିଲେ । ବିରୋଧୀଙ୍କୁ ସଦବୁଦ୍ଧି ମିଳୁ କହି ଗଙ୍ଗା ଜଳ ଛିଞ୍ଚିଥିବା କହିଥିଲେ ବିଜେଡି ସଦସ୍ୟ ।
ବିରୋଧୀ ଓ ଶାସକ ଦଳର ପ୍ରତିବାଦ ଯୋଗୁ ୬ ଦିନ ହେବ ଗୃହରେ ଅଚଳାବସ୍ଥା ଲାଗି ରହିଛି । ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିପାରିନାହିଁ ।

ଅନ୍ୟପଟେ ଗୃହ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିଧାୟକମାନେ ଧାରଣା ଦେଇଥିଲେ । କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଦଳ ଅଭିଯୋଗ କରିଛି । ହାତରେ ବଡ ବଡ ବ୍ୟାନର ଧରି ଧାରଣାରେ ବସିଥିଲେ ଶାସକଦଳର ବିଧାୟକ । ଗ୍ୟାସ, ତେଲ ଦର ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ଓ କେନ୍ଦ୍ରୀୟ ଅନୁଦାନ କାଟ୍ ପ୍ରସଙ୍ଗରେ ଆନ୍ଦୋଳନ କରୁଛି ବିଜେଡି । ଏହାସହ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଶାରେ ଅନେକ ସମସ୍ୟା ରହିଛି । ବିଧାନସଭାରେ ଆଲୋଚନା ପାଇଁ ବିଭିନ୍ନ ପ୍ରସଙ୍ଗ ମଧ୍ୟ ରହିଛି । କିନ୍ତୁ ବିରୋଧୀ ଲୋକଙ୍କ ସମସ୍ୟା ଅଲୋଚନା କରିବା ବଦଳରେ ଡ୍ରାମାବାଜି କରୁଛନ୍ତି । ଶାସକ ଦଳ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ବିରୋଧୀ ଗୃହ ଚଲାଇ ଦେଉନାହାନ୍ତି ।

ସେହିପରି ବିଜେପି ବିଧାୟକମାନେ ଗୃହ ମୁଲତବୀ ହେଲା ପରେ ବିଧାନସଭା ପରିସରରେ ପ୍ରତିବାଦ କରିଛନ୍ତି । ଜଗନ୍ନାଥଙ୍କ ଫଟୋ ରଖି ଘଣ୍ଟ ବଜାଇ ଭୋଗ ବାଣ୍ଟି ପ୍ରତିବାଦ ଜଣାଇଛନ୍ତି । ଜଗନ୍ନାଥ ଶାସକ ଦଳକୁ ସଦବୁଦ୍ଧି ଦେବେ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି । ଗୃହ ଭିତରୁ ବିଜେପି ବିଧାୟକମାନେ ଘଣ୍ଟ ବଜାଇ ବାହାରକୁ ଆସିଥିଲେ । ଏହାପରେ ଏକାଠି ହୋଇ ଜଜଗନ୍ନାଥଙ୍କ ଫଟୋ ରଖି ପ୍ରତିବାଦ କରିଛନ୍ତି ।

କଂଗ୍ରେସ ମଧ୍ୟ ମମିତା ମେହେର ପ୍ରସଙ୍ଗରେ ପ୍ରତିବାଦ ଜାରି ରଖିଛି । କଂଗ୍ରେସ ବିଧାୟକମାନେ ବିଧାନସଭା ଚାରିପାଖ ପରିକ୍ରମା କରିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିଧାନସଭା ଚାରିପାଖ ପରିକ୍ରମା କରିଥିଲେ କଂଗ୍ରେସ ବିଧାୟକ । ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ବିଧାୟକ ଦାବି କରିଥିଲେ । ତେବେ ଉଭୟ ବିରୋଧୀ-ଶାସକଙ୍କ ପ୍ରତିବାଦ କାରଣରୁ ଗତ ୬ ଦିନ ହେବ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ଏଯାଏଁ କୌଣସି ଗୋଟିଏ ପ୍ରସଙ୍ଗ ବି ଗୃହରେ ଆଲୋଚନା ହୋଇପାରିନାହିଁ । ଯାହାଦ୍ୱାରା ସାଧାରଣ ଲୋକଙ୍କ ସମସ୍ୟା ସେମିତି ନାଲି ଫିତା ତଳେ ଚାପି ହୋଇ ରହୁଛି ।