ବିଧାନସଭାର ବିରୋଧୀଙ୍କ ହଙ୍ଗାମା : ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ 

ପ୍ରଶ୍ନ କାଳରେ ଖଣି ଦୁର୍ନୀତି ଆଲୋଚନା ନେଇ କଂଗ୍ରେସର ହଙ୍ଗାମା ପରେ ବାଚସ୍ପତି ଚ୍ୟାମ୍ବର ଘେରାଉ; ମୁଲତବୀ ପ୍ରସ୍ତାବକୁ ଗ୍ରହଣ ନକରିବା ପ୍ରତିବାଦରେ ଧାରଣା 

80

କନକ ବ୍ୟୁରୋ : ଖଣି ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଖଣି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୂଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନକରିବାରୁ ହଙ୍ଗାମା ହୋଇଛି । ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗୃହରେ ହୋହାଲା କରିଥିଲେ କଂଗ୍ରେସ ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ସଦସ୍ୟମାନେ ବି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ଗୃହକୁ ମୂଲତବି ଘୋଷଣା କରିବାରୁ ବାଚସ୍ପତିଙ୍କୁ ଚ୍ୟାମ୍ବରକୁ ଘେଣାଇ କରିଥିଲେ ବିରୋଧୀ । ପ୍ରଥମେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା । ପରେ ସମାନ ସ୍ଥିତି ଉପୁଜିବାରୁ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ବିରୋଧୀ ଅଭିଯୋଗ କରିଛନ୍ତି, ରାଜ୍ୟରେ ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା । କିନ୍ତୁ ସରକାର ଖଣି ଦୁର୍ନୀତି ଆଲୋଚନାକୁ ଡରୁଛନ୍ତି । ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଗୋଲ ପୋଷ୍ଟ ପରିବର୍ତ୍ତନ କରୁଛନ୍ତି ବିରୋଧୀ । ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କର ଆନ୍ତରିକତା ନାହିଁ । ମରୁଡି ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନାକୁ ଆସିଲେ, ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠାଉ ନାହାନ୍ତି ବିରୋଧୀ । ପଳାୟନ ପନ୍ଥୀ ବିରୋଧୀ, ଜନ ସାଧାରଣଙ୍କୁ ବିଭ୍ରାନ୍ତି କରୁଛନ୍ତି । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି, ବିରୋଧୀ ଲୁଚକାଳି ଖେଳୁଛନ୍ତି ।