ଅର୍ପଣ ରଥ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ସଦସ୍ୟଙ୍କ ବିଧାନସଭାରେ ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ।

86

କନକ ବ୍ୟୁରୋ : ବାରମ୍ବାର ବିଧାନସଭା ମୁଲତବି । ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ୱାଭାବିକ ହୋଇପାରିନି ଗୃହକାର୍ଯ୍ୟ । ପ୍ରଥମ ଦିନ ୧୧ଟା ୩୦, ପରେ ୧୨ଟା ୩୦ ଏବଂ ପରବର୍ତ୍ତୀ ସମୟରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପିର ହଟ୍ଟଗୋଳ ଓ ନାରାବାଜି ଫଳରେ ପୁଣିଥରେ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।

ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭରୁ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ସେହିଭଳି ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା । ପ୍ରବଳ ହୋ ହଲ୍ଲା ପାଇଁ ଗୃହକାର୍ଯ୍ୟକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ।

ମୁଲତବି ସମୟ ଶେଷ ହେବା ପରେ ପୁଣିଥରେ ଗୃହ ଆରମ୍ଭରୁ ସମାନ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ୩୦ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ତେବେ ୧୨ଟା ୩୦ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ବିରୋଧୀ ବିଜେପି ସଦସ୍ୟ ସମାନ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ ହୋହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବାରମ୍ବାର ମୁଲତବି କାରଣରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅନ୍ୟପଟେ ଗୃହ ମୁଲତବି ହେବା ପରେ ବିଜେଡି ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ ।