ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ଆଜି ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା

88

କନକ ବ୍ୟୁରୋ : ଥମୁନି ମମିତା ହତ୍ୟା ବିବାଦ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ଆଜି ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା । ଆଜି ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ହୋହାଲ୍ଲା ଓ ନାରାବାଜି କରିଥିଲେ । ଯାହାକୁ ନେଇ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତ୍ତି । ସାଢେ ୧୧ଟା ପରେ ବି ଚାଲିପାରିଲାନି ଗୃହ । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତ୍ତି

ଗୃହ ଆରମ୍ଭରୁ ଆଜି ବିରୋଧୀ ମମିତା ପ୍ରସଙ୍ଗକୁ ନେଇ ବିରୋଧ ଜାରି ରଖିଥିଲା । ନବୀନ ନିବାସକୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଆସିଥିବାର ଫଟୋ ପୋଷ୍ଟର ଦେଖାଇ ହୋ-ହଲ୍ଲା କରିଥିଲା । ଏପରିକି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ଅନ୍ୟପଟେ ଶାସକ ବିଜେଡି ମଧ୍ୟ ବିଜେପିକୁ କାଉଁଣ୍ଟର କରିବାକୁ ପୂରା ପ୍ରସ୍ତୁତ ହୋଇ ଆସିଥିଲା ।

ଶାସକ ବିଜେଡି ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ ଶର୍ମାଙ୍କ ଫଟୋ ପୋଷ୍ଟର ବିଧାନସଭା ଭିତରେ ଦେଖାଇଥିଲା । ମୋହନଲାଲ ବିଜେପିର ବଡ ବଡ ନେତାଙ୍କ ସହ ବସି ଫଟୋ ଉଠାଇଥିବାର ଫଟୋ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ମମିତାର ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଦାବି କରି ବିରୋଧୀ ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବେଲରେ ଆଣିବାକୁ ବିଜେପି ନେତା ମୋହନଲାଲ ଶର୍ମା ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେଡି । ଏପରିକି ଏହାର ପ୍ରମାଣ ମଧ୍ୟ ଗତକାଲି ସାମ୍ବାଦିକ ସମ୍ମିଳନୀରେ ରଖିଥିଲା ବିଜେଡି । ମମିତା ପ୍ରସଙ୍ଗରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡି କହିଛି । କାରଣ ମମିତା ପାଇଁ ବିଜେପି ଗୋଟିଏ ପଟେ ଲଢେଇ କରୁଥିବା କହୁଥିବା ବେଳେ ଅନ୍ୟପଟେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ବିଜେପି ନେତା ଆଗେଇ ଆସୁଥିବା ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି ବିଜେଡି କହିଛି । ତେବେ ବାରମ୍ବାର ଗୃହ ମୁଲତବୀ ହେଉଥିବା କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।