ମରୁଡି ପ୍ରସଙ୍ଗକୁ ନେଇ କମ୍ପିଲା କଂଗ୍ରେସ, ଗୃହକୁ ଅପରାହ୍ନ ୧୨ଟା ୩୪ ଯାଏଁ ମୁଲତବୀ କଲେ ବାଚସ୍ପତି ।

108

କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା । ମରୁଡି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟଙ୍କ ଗୃହରେ ନାରାବାଜି । ରାଜ୍ୟରେ ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା କରାଯାଉ ବୋଲି ଦାବି କରି କଂଗ୍ରେସ ହୋ-ହାଲ୍ଲା କରିଛି । ଯାହାଫଳରେ ଗୃହକୁ ଅପରାହ୍ନ ୧୨ଟା ୩୪ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣପାତ୍ର ।

ବିଧାନସଭାରେ ଦିବଙ୍ଗତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବ ଆଗତ ପରେ ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ଆଉ ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗରେ ହୋ ହାଲ୍ଲା କରିବା ସହ ନାରାବାଜି କରିଥିଲେ । ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ମୁଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା ତେଣୁ ଏହାକୁ ବାଚସ୍ପତି ଆଗ୍ରହ୍ୟ କରିଥିଲେ । ଆଉ ଏଥିପାଇଁ କଂଗ୍ରେସର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଯେଉଁଥିପାଇଁ ଗୃହକୁ ଅପରାହ୍ନ ୧୨ଟା ୩୪ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ।