ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା, ଗୃହକୁ ୧୧ଟା ୩୦ ଯାଏଁ ମୁଲତବି କଲେ ବାଚସ୍ପତି । 

57

କନକ ବ୍ୟୁରୋ : ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା । ଗୋଟିଏ ପଟେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ଅନ୍ୟପଟରେ ଗୃହରେ ମାହାଙ୍ଗା ପ୍ରସଙ୍ଗ ଉଠାଇଲା ବିରୋଧୀ ବିଜେପି । ଏପରିକି ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି । ଗୃହର ମଧ୍ୟଭାଗକୁ ଆସି ବିରୋଧୀଙ୍କ ନାରାବାଜି ପରେ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହାସହ ଗୃହ କିପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ଆଲୋଚନା ପରେ ପୁଣିଥରେ ଦିନ ୧୧ଟା ୩୦ ପରେ ଗୃହକାର୍ଯ୍ୟ ଆରମ୍ଭ ହେବ ।

ଅନ୍ୟପଟେ ଓଡ଼ିଶାର ବେକାରୀ ଓ ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟରେ କେଳେଙ୍କାରୀ ଘଟଣାକୁ ନେଇ ମୁଲତବି ପ୍ରସ୍ତାବ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହାର ଉତ୍ତର ରଖିଥାନ୍ତେ । କିନ୍ତୁ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।

ଏହାପୂର୍ବରୁ ପ୍ରଥମ ଦିନରେ ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ମରୁଡ଼ି ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ବାଚସ୍ପତିିଙ୍କ ପୋଡିୟମ ଉପରକୁ ଚଢ଼ିଯିବାକୁ ଚେଷ୍ଟା କରିଥିଲେ । ଓଡିଶାର କେତେ ଜିଲ୍ଲାରେ ମରୁଡି ହୋଇଛି ଏହି ପ୍ରଶ୍ନର ଉତର ଚାହୁଁଥିଲେ ବିରୋଧୀ । କିନ୍ତୁ ଗୃହରେ ଉତର ରଖି କୃଷି ମନ୍ତ୍ରୀ ରାଜ୍ୟରେ ନିଅଂଟିଆ ବର୍ଷା କଥା କହିଥିଲେ । ଆଉ ମନ୍ତ୍ରୀଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା ।