ସୀମାରେ ପାକ୍ ସେନାର ଅସ୍ତ୍ରବିରତୀ ଉଲ୍ଲଂଘନ ଜାରି: ୨ ଶିଶୁଙ୍କ ସମେତ ଜଣେ ମହିଳାଙ୍କ ମୃତ୍ୟୁ

ପୁଂଚ ଓ ରଜୌରୀ ଜିଲ୍ଲୀରେ ତିଆରି ହେବ ଅତିରିକ୍ତ ୪ଶହ ବଙ୍କର

163

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ପୁଂଚ ଓ ରଜୌରୀ ଜିଲ୍ଲାରେ ଅଧିକ ୪ଶହ ବଙ୍କର ତିଆରି ହେବ । ଗତ ୫ଦିନ ହେଲା ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ବର୍ଷା କରୁଥିବାରୁ ଏଭଳି ନିଷ୍ପତି କରିଛି ରାଜ୍ୟ ପ୍ରଶାସନ । ଦୁଇଟି ଜିଲ୍ଲାରେ ଅତିରିକ୍ତ ୨ଶହ ଲେଖାଏଁ ବଙ୍କର ତିଆରି ହେବ । ମାସକ ମଧ୍ୟରେ ବଙ୍କର ଶେଷ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ର୍ନିେଶ ଦିଆଯାଇଛି । ସୀମା ଆରପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହେଲେ ଗୁଳିଗୋଳାରୁ ରକ୍ଷା ପାଇବାକୁ ସୀମାନ୍ତବର୍ତୀ ଗାଁ ଲୋକେ ଏହି ବଙ୍କରରେ ଆଶ୍ରୟ ନେଇଥାନ୍ତି । ଶୁକ୍ରବାର ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ୨ଜଣ ଶିଶୁ ଓ ଜଣେ ମହିଳାଙ୍କ ମୃୃତ୍ୟୁ ହୋଇଛି । ଗତ ୧୪ ତାରିଖରେ ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନୀ ସେନା ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନକୁ ବଢାଇ ଦେଇଛି ।

ପାକିସ୍ତାନ ମାଟିରେ ଏୟାର ଷ୍ଟ୍ରାଇକକୁ ନେଇ ବିଜେପି ରାଜନୀତି କରୁଥିବା ବାରମ୍ବାର ଅଭିଯୋଗ କରିଆସୁଛି କଂଗ୍ରେସ । ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଏକ ଟ୍ୱିଟକୁ ନେଇ ବଡ ବିବାଦ ମୁଣ୍ଡ ଟେକିଛି । ଭାରତୀୟ ପାଇଲଟ ଅଭିନନ୍ଦନଙ୍କ ବୀରତ୍ୱକୁ ପ୍ରଶଂସା କରି ଏକ ଟ୍ୱିଟ କରିଛନ୍ତି ସଲମାନ ଖୁର୍ସିଦ । ହେଲେ ଏଥିସହ ଲେଖିଛନ୍ତି ଯେ, ୟୁପିଏ ସରକାର ଅମଳରେ ହିଁ ଯୁଦ୍ଧ ବିମାନର ପାଇଲଟ୍ ବନିଥିଲେ ୱିଙ୍ଗ କମାର ଅଭିନନ୍ଦନ ବର୍ତମାନ । ଯେଉଁଥିରୁ କଂଗ୍ରେସର ନିମ୍ନ ସ୍ତରର ରାଜନୀତି ସାମ୍ନାକୁ ଆସିଥିବା ବିଜେପି ପାଲଟା ଅଭିଯୋଗ ବାଢିଛି ।

ସେପଟେ ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣର ପ୍ରମାଣ ମାଗିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଇନ୍ଦୋରରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଦିଗବିଜୟ କହିଛନ୍ତି ଯେ, ସେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ କରୁନାହାନ୍ତି । ଲାଡେନକୁ ମାରିବା ପରେ ଆମେରିକା ସାରା ବିଶ୍ୱ ଆଗରେ ଏହାର ପ୍ରମାଣ ରଖିଥିଲା । ସେହିଭଳି ବାଲାକୋଟ୍ ଏୟାର ଷ୍ଟ୍ରାଇକ ନେଇ କେନ୍ଦ୍ର ସରକାର ପ୍ରମାଣ ଦେବା ଉଚିତ୍ ବୋଲି ଦିଗବିଜୟ କହିଛନ୍ତି । କୌଣସି ଖୋଲା ସ୍ଥାନରେ ଯୁଦ୍ଧ ବିମାନରୁ ଆକ୍ରମଣର ସାଟେଲାଇଟ୍ ଚିତ୍ର ମିଳିବାରେ କିଛି ଅସୁବିଧା ନାହିଁ । ତେଣୁ ସରକାରଙ୍କ ପାଖରେ ଏଭଳି କିଛି ପ୍ରମାଣ ଥିଲେ, ସମସ୍ତଙ୍କ ଆଗରେ ରଖନ୍ତୁ ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା । ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ମଧ୍ୟ କଂଗ୍ରେସ ସନ୍ଦେହ ପ୍ରକାଶ କରିଥିଲା ।