ହୋଟେଲ ବ୍ୟବସାୟ ଉପରେ କରୋନା ପ୍ରଭାବ : ଦିନକୁ କ୍ଷତି ୫ କୋଟି

ହୋଟେଲ ବ୍ୟବସାୟ ଉପରେ କରୋନା ପ୍ରଭାବ : ଦିନକୁ କ୍ଷତି ୫ କୋଟି

କନକ ବ୍ୟୁରୋ : ପୁରୀ ହୋଟେଲ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ପ୍ରଭାବ। ଦିନକୁ ୫ କୋଟି ଟଙ୍କା କ୍ଷତି ହେଉଥିବା ଆକଳନ କରାଯାଉଥିବା‌ବେଳେ ହୋଟେଲ୍‌ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବହୁ ଅଧିକାରୀ, କର୍ମଚାରୀ ଛୁଟିରେ ଚାଲିଯାଇଥିବା ଦେଖିବାକୁ ମିଳିଛି। ସେହିଭଳି ପୁରୀର ହୋଟେଲ ବ୍ୟବସାୟ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରାୟ ୧ ଲକ୍ଷ ପରିବାର ନିର୍ଭର କରନ୍ତି। ନିର୍ଭରଶୀଳ ଏହି ୧ ଲକ୍ଷ ପରିବାର ଏବେ ପେଟପାଟଣା ପାଇଁ ଚିନ୍ତାରେ ଅଛନ୍ତି।

ଛୋଟବଡ଼ ହୋଟେଲକୁ ମିଶାଇ ପ୍ରାୟ ୧ହଜାର ହୋଟେଲ ପୁରୀରେ ରହିଛି। ହୋଟେଲ ପିଛା ହିସାବ କଲେ ହାରାହାରି ୧୫ଜଣ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଯେଉଁଥିରେ ମ୍ୟାନେଜରଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ରହିଛନ୍ତି। ହୋଟେଲ ଶିଳ୍ପ ଦ୍ବାରା ଏମାନେ ସିଧାସଳଖ ରୋଜଗାରକ୍ଷମ ହେବା ସହ ପରିବାର ବି ପ୍ରତିପୋଷଣ କରନ୍ତି। ପରିବାର ପିଛା ତିନିଜଣ ଲେଖାଁଏ ହିସାବ କଲେ, ପ୍ରାୟ ୪୫ହଜାର ଲୋକ ଏହି ହୋଟେଲ ଶିଳ୍ପ ଉପରେ ସିଧାସଳଖ ନିର୍ଭରଶୀଳ। ଏଠ‌ାରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀମାନେ ରୋଜଗାର କଲେ, ଏମାନଙ୍କ ଦରମାରେ ପରିବାର ଚଳେ। କିନ୍ତୁ ‘କରୋନା’ କଟକଣା ପରେ ଏହି କର୍ମଚାରୀମାନଙ୍କୁ ଛୁଟିରେ ପଠାଇ ଦିଆଯାଇଛି।

ସେପଟେ ପରୋକ୍ଷରେ ହୋଟେଲ ଶିଳ୍ପ ଉପରେ ଅନେକ ରିକ୍ସା ଚାଳକ, ଅଟୋ ଚାଳକ, ବସ ଚାଳକ, ଟ୍ୟାକ୍ସି ଚାଳକ ନିର୍ଭରଶୀଳ। ଏମାନେ ଯାତ୍ରୀଙ୍କୁ ଆଣି ହୋଟେଲରେ ପହଞ୍ଚାଇବା ପରେ ଯାହା ଦୁଇପଇସା ପାଆନ୍ତି, ସେଥିରେ ପରିବାର ‌ଚଳେ। କିନ୍ତୁ ପର୍ଯ୍ୟଟକଙ୍କ ଉପରେ କଟକଣା ଲାଗିବା ପରେ ଏମାନେ ବି ରୋ‌ଜଗାର ହରାଇଛନ୍ତି। ପର୍ଯ୍ୟଟକ ନଥିବାରୁ ଗାଡ଼ି ସେହିଭଳି ଷ୍ଟାଣ୍ଡରେ ପଡ଼ି ରହୁଛି। ଅନେକ ନିଜ ନିଜ ଘରକୁ ବି ଗାଡ଼ି ଫେରାଇ ନେଲେଣି। ହିସାବ କଲେ ପ୍ରାୟ ୧୫ହଜାର ରିକ୍ସା, ଅଟୋ, ଟ୍ୟାକ୍ସି, ବସ ଚାଳକ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି। ପରିବାର ପିଛା ତିନି ଜଣ ସଦସ୍ୟ ଲେଖାଁଏ ହିସାବ କଲେ ୧୫ହଜାର ପରିବାରର ୪୫ହଜାରରୁ ୫୦ହଜାର ଲୋକ ପେଟପାଟଣା ଏବେ ପାଇଁ ସଂଘର୍ଷ କରୁଛନ୍ତି।

ପର୍ଯ୍ୟଟକ ଆସିବା ବନ୍ଦ ହୋଇଯିବା ପରେ ଏମାନଙ୍କ ରୋଜଗାର ବନ୍ଦ ହୋଇଯାଇଥିବାରୁ କଟକଣା ଜାରି ରହିବା ପର୍ଯ୍ୟନ୍ତ କିଭଳି ପରିବାର ଚଳାଇବେ ସେହି ଚିନ୍ତାରେ ରହିଛନ୍ତି। ଏ ସଂପର୍କରେ ହୋଟେଲ ମାଲିକ ସଂଘ ସଂପାଦକ ରାଜକିଶୋର ପାତ୍ର କହିଛନ୍ତି, ‘କରୋନା’ କଟକଣା ପରେ ହୋଟେଲ ମାଲିକମାନେ ଦୈନିକ ହାରାହାରି ୪୦ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି। ପୁରୀରେ ପ୍ରାୟ ୧ହଜାର ହୋଟେଲ ରହିଛି। ହିସାବ କଲେ ଦୈନିକ ପ୍ରାୟ ୫ କୋଟି ଟଙ୍କାର କ୍ଷତି ଆମକୁ ସହିବାକୁ ପଡ଼ୁଛି। ସେପଟେ ଯେଉଁ କର୍ମଚାରୀମାନେ ନିଯୁକ୍ତି ପାଇଥିଲେ, ସେମାନଙ୍କୁ ଛୁଟିରେ ଘରକୁ ଛାଡ଼ି ଦିଆଯାଇଛି। ‘କରୋନା’ କଟକଣା ମାସେ ଦୁଇ ମାସ ହେଲେ, ଚଳିବ। କିନ୍ତୁ ଏହାଠାରୁ ଅଧିକ ହେଲେ ବ୍ୟବସାୟ ବୁଡ଼ିବା ସହ ପରୋକ୍ଷ ଓ ପ୍ରତ୍ୟକ୍ଷରେ ଯେଉଁମାନେ ରୋଜଗାରକ୍ଷମ ହୋଇଥିଲେ, ସେମାନେ ବି ରୋଜଗାର ହରାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe