କରୋନା ଭୟାବହତା ପରେ ହୋଟେଲ ଓ ଟ୍ରାଭେଲ ଶିଳ୍ପରେ ବିପୁଳ କ୍ଷତି ହୋଇଛି। ସମଗ୍ର ରାଜ୍ୟରେ ପାଖାପାଖି ୫ ହଜାର ହୋଟେଲ, ଟ୍ରାଭେଲ ବ୍ୟବସାୟ ପ୍ରଭାବିତ ହୋଇଛି। ତେଣୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ନେଇ ଏହି ଶିଳ୍ପ ଚଳାଇବା ନେଇ ହୋଟେଲ ଓ ଟ୍ରାଭେଲ ସ୍ବତ୍ତ୍ବାଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ଆଜି ସ୍ବତ୍ତ୍ବାଧିକାରୀଙ୍କୁ ନେଇ ଏକ ଜୁରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଲୋଚନା ପରେ ହୋଟେଲ ଆଣ୍ଡ୍ ରେସ୍ତୋରାଁ ଆସୋସିଏସନ୍ ଅଫ ଓଡ଼ିଶା (ହାରୋ) ପକ୍ଷରୁ ସରକାରଙ୍କ ସହଯୋଗ ଲୋଡ଼ା ଯାଇଛି। ବୈଠକର ନିଷ୍ପତ୍ତି ମୁତାବକ, ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି, କରୋନା ପାଇଁ ସବୁଆଡ଼େ ମେ’ ମାସ ପର୍ଯ୍ୟନ୍ତ ହୋଟେଲ ରୁମ୍ ବୁକିଂ ବାତିଲ ହେଲାଣି। ବାହାଘର, ସମ୍ମିଳନୀ ଓ ବାଙ୍କୁଏଟ୍ ବୁକିଂ ବାତିଲ ହୋଇଯାଇଛି। ଫଳରେ ବହୁ ହୋଟେଲ କୋଟିକୋଟି ଟଙ୍କାର କ୍ଷତି ସହିବେ। ତେଣୁ ହୋଟେଲ ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ଏବେ ସରକାରଙ୍କ ସହଯୋଗର ଆବଶ୍ୟକତା ରହଛି। ଅଧିକାଂଶ ହୋଟେଲ ସ୍ବତ୍ବାଧିକାରୀ ବ୍ୟାଙ୍କରୁ ଋଣ ନେଇଛନ୍ତି। ମାତ୍ର ସଂପ୍ରତି ଅବସ୍ଥା ଯାହା, ସୁଧ ଓ ବ୍ୟାଙ୍କ ଇଏମ୍ଆଇ ପଇଠ କରିବା ବହୁତ କଷ୍ଟକର ବ୍ୟାପାର। ତେଣୁ ଓଡ଼ିଶା ସରକାର ଏହାର ବିଚାର କରିବା ସହ ଅନ୍ତତଃ ଅବସ୍ଥା ସୁଧୁରିବା ପର୍ଯ୍ୟନ୍ତ ଋଣ ଓ ଇଏମଆଇ ସ୍ଥଗିତ ରଖିବାକୁ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରୁ। ସେହିଭଳି ସ୍ଥିତି ସୁଧୁରିବା ପର୍ୟ୍ୟନ୍ତ ରାଜ୍ୟ ଜିଏସ୍ଟି (ସିଜିଏସ୍ଟି) ୧ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯାଉ। ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପ ପ୍ରତି ସକ୍ରିୟ ସହଯୋଗ ପାଇଁ ରାଜ୍ୟ ସରକାର ସିଜିଏସ୍ଟି ଛାଡ଼ କରିବା ସହ କେନ୍ଦ୍ର ଜିଏସଟି ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁ। କରାଯିବାକୁ ଥିବା ବିଭିନ୍ନ ଲାଇସେନ୍ସ, ଅନୁମତି, ନବୀକରଣ ଦେୟ ତଥା ବିଏମ୍ସି ହୋଲଡିଂ ଟାକ୍ସ, ବାର୍ ଲାଇସେନ୍ ଦେୟ, ଭୂତଳ ଜଳଦେୟ, ବିଦ୍ୟୁତ ଦେୟ ଇତ୍ୟାଦି ଛାଡ଼ କରାଯାଉ। ପର୍ୟ୍ୟଟନ, ଟ୍ରାଭେଲ ଓ ହୋଟେଲ ଶିଳ୍ପରେ କାର୍ୟ୍ୟରତ କର୍ମଚାରୀଙ୍କ ପିଏଫ, ଇଏସ୍ଆଇସି, ପ୍ରଫେସନାଲ୍ ଟାକ୍ସ, ଦରମା ଭରଣା କରିବାରେ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହଯୋଗର ହାତ ବଢ଼ାନ୍ତୁ।
ସଂପ୍ରତି ଜାରି ହୋଇଥିବା ଗାଇଡ୍ଲାଇନ୍ ମୁତାବକ, ହୋଟେଲମାନଙ୍କରେ ପରିଚ୍ଛନ୍ନତାକୁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ଏବେ ବେଶି ଖର୍ଚାନ୍ତ ହେବାକୁ ପଡ଼ିଛି। କିଛି ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେଣୁ ଏସବୁକୁ ଧ୍ୟାନରେ ରଖି ପର୍ଯ୍ୟଟନ କ୍ଷେତ୍ର ଓ ଏହା ସହ ଜଡ଼ିତ ହୋଟେଲ ଶିଳ୍ପକୁ ସରକାର ସହଯୋଗର ହାତ ବଢ଼ାଇବାକୁ ହାରୋର ସେକ୍ରେଟାରି ଜେନରୋଲ ଶ୍ରୀନିବାସ ସୁବୁଦ୍ଧି ନିବେଦନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଯାଇଛି। ଏଥିସହ ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ପର୍ଯ୍ୟଟନ ସଚିବ, ନିର୍ଦ୍ଦେଶକ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କେ ମୀନାଙ୍କୁ ଏହି ସ୍ମାରକପତ୍ର ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/TRAVEL.jpg)
/kanak/media/post_attachments/wp-content/uploads/2020/03/why-it-is-important-to-do-survey-in-travel-and-hospitality-industry-e1555403690189-300x155.png)