ଷଣ୍ଢ, ଗାଈ ଉପରକୁ ତତଲା ତେଲ, ଗରମ ପାଣି ଫିଙ୍ଗିଦେଲା ମଣିଷ । ଉତୁରି ଗଲା ଛାଲ, ପୋଡିଗଲା ଦେହ । ଭୁବନେଶ୍ୱରରେ ନୀରିହ ପଶୁଙ୍କ ଉପରେ ନିଷ୍ଠୁର ଅତ୍ୟାଚାର…

336

କନକ ବ୍ୟୁରୋ: ପଶୁଙ୍କୁ ଫିଙ୍ଗିଲେ ତତଲା ତେଲ । ଷଣ୍ଢ, ଗାଈ ଉପରକୁ ଗରମ ପାଣି । ରାଜଧାନୀରେ ପଶୁ ଉପରେ ଅତ୍ୟାଚାର… ବୀଭତ୍ସ, ବର୍ବର, ନିଷ୍ଠୁର, ନିର୍ଦ୍ଦୟ, ଅମାନୁଷିକ କାଣ୍ଡ… କୁତ୍ସିତ କର୍ମକୁ ନେଇ ଯେତେ ସବୁ ଶବ୍ଦ ଅଛି ତାହା ବି କମ ପଡିଯିବ ଏ ଜଘଣ୍ୟକାଣ୍ଡ ଆଗରେ । କାରଣ ଏଠି ମଣିଷ ପାଲଟିଛି ପଶୁ… ସୈତାନ ସାଜିଛି ସ୍ମାର୍ଟସିଟିର ଶିକ୍ଷିତ ମଣିଷ । ଆଉ ପଶୁ ଉପରକୁ ଫିଙ୍ଗିଛି ଫୁଟନ୍ତା ପାଣି, ଟକମକ ତତଲା ତେଲ । ନିଜ ରାଗ ସୁଝାଇବାକୁ ଯାଇ ପଶୁ ଉପରେ ଆଖିବୁଜା ଅତ୍ୟାକରିଛି ରାଜଧାନୀର ମଣିଷ । ଯାତନାର ଏ ଲୋମଟାଙ୍କୁରା ଦୃଶ୍ୟ ଏତେ ଦାରୁଣ ଯେ, ଯାହାକୁ ବିନା ବ୍ଲର କରି ଦେଖାଇବା ଆମ ପାଇଁ ସମ୍ଭବ ନୁହେଁ । ଖାଲି ଚିତ୍ର ଦେଖାଇବା ନୁହେଁ ଯେତେବେଳେ ଏ ଖବର ବି ଲେଖୁଥିଲୁ ସେତେବେଳେ ହାତ ଥରିଯାଉଥିଲା । ହେଲେ ତତଲା ତେଲ ଫିଙ୍ଗିବାକୁ ସ୍ମାର୍ଟସିଟିର ସୈତାନର ହାତ କେମିତି ଗଲା ? କେମିତି ମଣିଷ ଅମଣିଷ ପାଲଟିଗଲା ? ଭୁବନେଶ୍ୱର ନୀଳାଦ୍ରୀବିହାରରେ ଘଟିଥିବା ଏ ନିଷ୍ଠୁରକାଣ୍ଡ ଚହଳ ସୃଷ୍ଟି କରିଛି ?

ରାଜଧାନୀ ଭୁବନେଶ୍ୱରର ନୀଳାଦ୍ରୀବିହାର ଅଞ୍ଚଳରେ ଦୁଇଟି ପଶୁ ଉପରେ ଅମାନୁଷିକ ଅତ୍ୟାଚାର କରାଯାଇଛି । ଗୋଟିଏ ବୁଲା ଷଣ୍ଢ ଏବଂ ଗୋଟିଏ ଗାଈ ଉପରେ କେହି ବ୍ୟକ୍ତି ଗରମ ପାଣି ଏବଂ ତତଲା ତେଲ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି । କିଏ ? କାହିଁକି ? କେତେବେଳେ? ନିରିହ ପଶୁଙ୍କ ଉପରେ ଏମିତି ଅକଥନୀୟ ଅତ୍ୟାଚାର କରିଛି ତାର କୌଣସି ସୂଚନା ମିଳିନଥିବା ବେଳେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଘୃଣ୍ୟତାର ଏ ଦୁଇଟି ଛବି । ଯାହା ଛାତିକୁ ଥରାଇ ଦେଉଛି… ଓଃ ! କେଡେ କଷ୍ଟ ହୋଇଥିବ । ଯେତେବେଳେ ତତଲା ତେଲ ଦେହ ଉପରେ ପଡିଥିବ, ଫୁଟନ୍ତା ପାଣିରେ ଛାଲ ଉତୁରି ଯାଇଥିବ । ପଶୁ ବୋଲି ସିନା ପାଟି ଫିଟେଇ ଚିଲେଇ ପାରିନଥିବ ହେଲେ ଯନ୍ତ୍ରଣାର ଯାତନାରେ ଦୁଇ ନିରିହ ପଶୁ ଆଖିରୁ ଲୁହ ନିଗାଡି ଦେଇଥିବ… ଆଃ ସତରେ କି କଷ୍ଟ ସେ ସମୟ । ଦୁଇ ପଶୁ ହିଁ ମାପିଥିବେ ଜ୍ୱାଳାର ଗଭୀରତା କେତେ ?

ସବୁଠାରୁ ବଡ କଥା ହେଉଛି ଗାଈଟି ସମ୍ଭବତ ଗର୍ଭବତୀ ଥିଲା । ପେଟରେ ପିଲା ଧରି ସେ ଖାଦ୍ୟ ସନ୍ଧାନରେ ଗଳି ଗଳି ବୁଲୁଥିଲା । ଆଉ ଏହି ସମୟରେ ହିଁ ଖାଦ୍ୟ ବଦଳରେ ମଣିଷ କି ବିଷ ଫିଙ୍ଗିଦେଲା । ଥରେ ଭାବିଲେ ଗର୍ଭିଣୀ ଗାଈ ଯେତେବେଳେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବ ଆଉ ଅଳିଚଳି ପାରୁନଥିବ ଠିକ୍ ସେତେବେଳେ ତା ଉପରେ ତତଲା ତେଲ ପଡିବ, ଗରମ ପାଣି ଫିଙ୍ଗାଯିବ … ହେ ଭଗବାନ ! ଏ କଥା ଭାବି ହେଉନି, କେମିତି ସେ ସୈତାନ ଏତେ ସବୁ କାଣ୍ଡ ଘଟାଇ ପାରିଲା । ପଶୁ ଦୁଇଟା ଏମିତି କି କ୍ଷତି କରିଥିଲେ ଯେ, ଏ ସବୁ କରିବା ଆଗରୁ ଟିକେ ଦୟା ବି ଲାଗିଲାନି । ବରିଷ୍ଠ ସାମ୍ବାଦିକ ଶିବ ମହାନ୍ତି ସୈତାନ ମଣିଷର ଅସଲ ସତ ନିଜ ଟ୍ୱିଟରରେ ପୋଷ୍ଟ କରିବା ପରେ ଏବେ ଦୋଷୀକୁ ସାମ୍ନାକୁ ଆଣି ତା ନିଷ୍ଠୁର କାଣ୍ଡ ପାଇଁ ତାକୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି ବି ହେଉଛି ।

ପୂର୍ବରୁ ଏହି ଭୁବନେଶ୍ୱରରେ କୁକୁର ଛୁଆଙ୍କ ଉପରେ ଜଣେ କାର ଡ୍ରାଇଭର ଗାଡି ଚଢାଇ ଦେଇଥିଲେ । ଆଉ ବର୍ବୋରଚିତ କାଣ୍ଡ ପଚେ ଛୋଟ ଛୋଟ କୁକୁର ଛୁଆ ଅତୀତରେ ଆଖିବି ବୁଜିଛନ୍ତି । ଆଉ ପୁଣି ଥରେ ଏବେ ପଶୁ ପ୍ରତି ଅତ୍ୟାଚାର ଅତୀତର ସେ ଲୋମଟାଙ୍କୁରା ଘଟଣାକୁ ଉଖାରି ଦେଇଛି । ଗାଈ ଆଉ ଷଣ୍ଢ ଉପରେ ଯିଏ ଗରମ ପାଣି ଢାଳିଛି ତାକୁ ସାମ୍ନକୁ ଆଣାଯାଉ ଆଉ ଶାସ୍ତି ଦିଆଯାଉ…

ଯଦି ପାଟି ଖୋଲି କହିପାରୁଥାନ୍ତା ପଶୁ, ହୁଏତ ଆଜି ଦୁନିଆ ଆଗରେ କହି ଦିଅନ୍ତା କିଏ ସେହି ସୈତାନ ? ଯିଏ ଫିଙ୍ଗିଛି ତତଲା ତେଲ, ଦେହରେ ଢାଳିଛି ଫୁଟନ୍ତା ପାଣି… ପଶୁକୁ ବିଧାତା ସେ ଶକ୍ତି ଦେଇନି ବୋଲି ତ ଆଜି ସେ ସବୁ ସହୁଛି, ସବୁ ଭୋଗୁଛି… ଆଉ ଯନ୍ତ୍ରଣାର ଲୁହ ନିଗାଡି ପଚାରୁଛି… ରେ ମଣିଷ ! ଆମେ ତୁମର କି ଭୁଲ କରିଥିଲୁ…? କଣ କ୍ଷତି କରିଥିଲୁ…?? ପଶୁ ତମେ ନା ଆମେ…???