୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । କଡାକଡି ଭାବେ ପାଳନ ହେବ କୋଭିଡ୍ ନିୟମ ।

246

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସସି/ଏସଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ । ହଷ୍ଟେଲରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀ ଅଭିଭାବକଙ୍କର ଅନୁମତି ନେବେ । ସ୍ଥାନୀୟ ସ୍ୱାସ୍ଥ୍ୟ ସଂସ୍ଥା ସହିତ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ସଂପର୍କରେ ରହିବେ । ହଷ୍ଟେଲ ପରିସରରେ ଗହଳିକୁ ବାରଣ କରାଯାଇଛି । ଏଥି ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।