ଏଣିକି ହଷ୍ଟେଲରେ ରହିବେ ଗୋରୁଗାଈ । ମଣିଷଙ୍କ ପରି ପକ୍କା ଘରେ ରହିବେ ଗାଈ ବଳଦ । ଏଣେତେଣେ ଶୋଇବେନି କି ଖରା, ବର୍ଷାରେ ଜୀବନ ବିତାଇ ବେନି…

306

କନକ ବ୍ୟୁରୋ: ଗାଈ ପାଇଁ ହଷ୍ଟେଲ । ମଣିଷଙ୍କ ପରି ପକ୍କା ଘରେ ରହିବେ ଗୋରୁଗାଈ । ଆମେ ଯେମିତି ଘରେ ରହୁଛୁ. ଗାଈଗୋରୁ ବି ଘରେ ରହିବେ । ସେମାନେ ଏଣେତେଣେ ଶୋଇବେନି କି ଖରା, ବର୍ଷା, ଶୀତ କାକରରେ ଜୀବନ ବିତାଇ ବେନି । ମଣିଷଙ୍କ ପରି ଗୋରୁ ଗାଈ ବି ରହିବେ ପକ୍କା ଘରେ । ସୁରକ୍ଷିତ ରହିବେ ହଷ୍ଟେଲ ଭିତରେ । ପଶୁଙ୍କ ପାଇଁ ହଷ୍ଟେଲ କଥାଟା ଟିକେ ରୋଚକ ଲାଗୁଥିଲେ ବି ଗୋରୁଗାଈଙ୍କ ସେବା ପାଇଁ ଗାଁ ଲୋକଙ୍କ ଆଗ୍ରହ ଦେଖି ପ୍ରଶାସନ କରିଛି ଗାଈଙ୍କ ପାଇଁ ହଷ୍ଟେଲ । ଆଉ ସେଥିପାଇଁ ଏବେ ଚର୍ଚ୍ଚାରେ ରହିଛି ଗଞ୍ଜାମର ଗୋପାଳନ ଗାଁ ଆମ୍ଭଝୋଳା ।

ପାହାଡି ଇଲାକା ଆଉ ଜଙ୍ଗଲୀ ପରିବେଶରେ ଅଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ପଞ୍ଚାୟତର ଆମ୍ବଝୋଳା ଗାଁ । ଯେଉଁଠି ଗାଈ, ଗୋରୁଙ୍କୁ ଆଦରରେ ପାଳନ କରନ୍ତି ଲୋକେ । ପରିବାର ଲୋକଙ୍କ ଭଳି ସେମାନେ ପଶୁଙ୍କର ସେବା ଯତ୍ନ କରନ୍ତି । ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଗାଈ ପାଳିଲେ ଘରେ ସୁଖ, ସମୃଦ୍ଧି ଓ ଶାନ୍ତି ଫେରେ । ତେଣୁ ଗାଁରେ ଥିବା ୧୬ ପରିବାର ଗୋପାଳନରେ ମନ ନିବେଶ କରିଛନ୍ତି । ଗୋବଂଶ ଦିନକୁ ଦିନ ଲୋପ ପାଇଯାଉଥିବା ବେଳେ ଗାଁ ଲୋକେ ସିନା ସେମାନଙ୍କ ସେବା କରୁଛନ୍ତି କିନ୍ତୁ ଭଲ ଗୁହାଳ ନଥିବାରୁ ଗୋରୁଗାଈ ବାହାରେ ବୁଲୁଛନ୍ତି । ତେଣୁ ପ୍ରଶାସନ ଗାଁ ଲୋକଙ୍କ ଏଭଳି ମନବୃତି ଦେଖି ଗାଁରେ ଗଢା ହୋଇଛି ଗୋରୁଙ୍କ ପାଇଁ ଗୋଶାଳା ।

ତେବେ ଗାଁରେ ମୋଟ ୩୦ଟି ପରିବାର ରହୁଥିବା ବେଳେ ୧୬ ପରିବାର ଗୋପାଳନ କରନ୍ତି ଆଉ ଅନ୍ୟମାନେ କୁକୁଡା, ଛେଳି ପାଳନ୍ତି । ଆଦର୍ଶ ଗାଈ ଗୁହାଳ ହଷ୍ଟେଲ ଯୋଜନାରେ ୧୬ ପରିବାରକୁ ଏହି ସୁବିଧା ଦିଆଯାଇଛି । ତେବେ ପ୍ରଥମେ ୮ଟି ପରିବାର ପାଇଁ ୮ଟି ହଷ୍ଟେଲ ତିଆରି ଚାଲିିବା ବେଳେ ପରେ ଆଫ ୮ଟି ପରିବାରକୁ ଦିଆଯିବ । ସବୁଠାରୁ ବଡକଥା ହେଉଛି ଏହି ଯୋଜନାରେ ହିତାଧିକାରୀଙ୍କ ଜାଗା ନଥିବାରୁ ପ୍ରଶାସନ ପକ୍ଷରୁ ଜାଗା ଯୋଗାଇ ଦେଇ ଗୋରୁଗାଈଙ୍କ ପାଇଁ ଗୋଶାଳା କରାଯାଉଛି । ଖାଲି ସେତିକି ନୁହେଁ ପ୍ରଶାସନ ପକ୍ଷରୁ କମ୍ପୋଷ୍ଟ ଖତ, କୁଣ୍ଡ ଆଦି ପାଇଁ ଟଙ୍କା ଦିଆଯାଉଛି । ତେବେ ଗୋରୁଗାଈଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ଗ୍ରାମବାସୀ ଖୁସି ଥିବା ବେଳେ ଗାଈ ସେମାନଙ୍କ ପାଇଁ ଜୀବନ ବୋଲି କହିଛନ୍ତି ଗାଁ ଲୋକେ ।