ଘରୋଇ ହସ୍ପିଟାଲର ଦାଦାଗିରି ଉପରେ ଲାଗିବ ଅଙ୍କୁଶ ! ଟଙ୍କା ପାଇଁ ରୋଗୀ ଓ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବନି ହସ୍ପିଟାଲ୍ ।

31

କନକ ବ୍ୟୁରୋ : ଟଙ୍କା ପାଇଁ ରୋଗୀ କିମ୍ବା ଶବକୁ ଅଟକ ରଖିପାରିବନି ହସ୍ପିଟାଲ୍ । ଏ ନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ଚିଠା ପେସେଂଟ୍ ଚାର୍ଟର । ରାଜ୍ୟ ସରକାରଙ୍କ ମାଧ୍ୟମରେ ଏହି ଚିଠା ପେସେଂଟ ଚାର୍ଟରକୁ ଲାଗୁ କରିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହା ଲାଗୁ ହେଲେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଉପକୃତ ହେବେ ।

ରୋଗୀ କିମ୍ବା କୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ ହସ୍ପିଟାଲ କର୍ତୃପକ୍ଷ । ଏପରିକି ଟଙ୍କା ପାଇଁ ଅନ୍ୟତ୍ର ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ଡିସଚାର୍ଜ କରିବାରେ ବିଳମ୍ବ କରିପାରିବେନି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ ୱେବସାଇଟରେ ଏକ ଚିଠା ପେସେଂଟ୍ ଚାର୍ଟର ଜାରି କରିଛି । ଟଙ୍କା ପାଇଁ ଯେମିତି କୌଣସି ରୋଗୀ ହସ୍ପିଟାଲରେ ହନ୍ତସନ୍ତ ନ ହୁଅନ୍ତି ତାକୁ ଆଖିରେ ରଖି ଏହାକୁ ପ୍ରସ୍ତୁତ କରିଛନ୍ତି ଜାତୀୟ ମାନବାଧିକାର କମିଶନ ।

ବିଭିନ୍ନ ସମୟରେ ଟଙ୍କା ପାଇଁ ପ୍ରଶାସନିକ କାର୍ଯ୍ୟ ଆଳରେ ରୋଗୀଙ୍କୁ ହସ୍ପିଟାଲ କର୍ତୃପକ୍ଷ ଅଟକ ରଖିବାର ନଜରି ଅଛି । ଚିକିତ୍ସା ବାବଦ ବିଲ ନ ପାଇବା ଯାଏଁ ରୋଗୀ କିମ୍ବା ମୃତଦେହକୁ ଅଟକ ରଖିଥାନ୍ତି ବିଭିନ୍ନ ଘରୋଇ ହସ୍ପିଟାଲ । ତାକୁ ଦୃଷ୍ଟିରେ ରଖି ଘରୋଇ ହସ୍ପିଟାଲ ଉପରେ ଲଗାମ ଲଗାଇବା ପାଇଁ ଜାତୀୟ ମାନବାଧିକାର କମିଶନ ଏହି ଚିଠା ପେସେଂଟ୍ ଚାର୍ଟର ପ୍ରସ୍ତୁତ କରିଛନ୍ତି । ଏବେ ଆସନ୍ତୁ ଦେଖିବା ପେସେଂଟ ଚାର୍ଟରରେ କଣ ବ୍ୟବସ୍ଥା କରାଯାଇଛି ।

ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ କିମ୍ବା ରୋଗୀଙ୍କୁ ଅଟକାଇବା ଅପରାଧ

ଚିକିତ୍ସା ବାବଦ ଅର୍ଥ ମିଳିନଥିବା ଆଳରେ ବିଳମ୍ବ କରିବା ମନା

ରୋଗୀ ତାଙ୍କ ଚିକିତ୍ସା ରିପୋର୍ଟ ଅନ୍ୟତ୍ର ଦେଖାଇବାକୁ ଚାହିଁଲେ ଯୋଗାଇ ଦେବ ହସ୍ପିଟାଲ

ରୋଗୀ କିମ୍ବା ମୃତଦେହ ଅଟକ ଅଭିଯୋଗ ଆସିଲେ ୧୫ ଦିନ ଭିତରେ ବିବାଦର ସମାଧାନ ବାଧ୍ୟତାମୂଳକ

ସବୁ ପ୍ରକାର ଚିିକିତ୍ସା ବାବଦ ଖର୍ଚ୍ଚ ବିବରଣୀ ପୁସ୍ତିକା ଆଂଚଳିକ ଭାଷାରେ ପ୍ରସ୍ତୁତ କରି ହସ୍ପିଟାଲରେ ଲଗାଇବା ବାଧ୍ୟତାମୂଳକ

ରୋଗୀଙ୍କ ଗୋପନୀୟତା ରକ୍ଷା କରିବା ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ

ଚିଠା ପେସେଂଟ୍ ଚାର୍ଟରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍୍ୟ ମନ୍ତ୍ରାଳୟ ଚଳିତ ମାସ ଶେଷ ସୁଦ୍ଧା ବିଭିନ୍ନ ସଂଗଠନର ମତାମତ ଲୋଡିଛନ୍ତି । ମତାମତ ପାଇସାରିଲା ପରେ ଚାର୍ଟରକୁ ଚୂଡାନ୍ତ ରୂପରେଖ ଦିଆଯିବ । ଏବଂ ରାଜ୍ୟ ସରକାରଗୁଡିକ ଏହାକୁ କାର୍ଯ୍ୟକାରୀ କରାଇବେ ।