ପରୀକ୍ଷାରେ କମ୍ ନମ୍ବର ରହିବାରୁ ଛାତରୁ ଡେଇଁଲେ ଛାତ୍ରୀ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

722

କନକ ବ୍ୟୁରୋ : ଯୁକ୍ତ ୨ପରୀକ୍ଷା ଫଳ ପ୍ରକାଶ ହେବାର ମାତ୍ର କେଇ ଘଣ୍ଟା ପରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ନଈକୁ ଡେଇଁ ଓ ଅନ୍ୟ ଜଣେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । କେନ୍ଦ୍ରାପଡା ଓ ବାଲେଶଶ୍ୱରରୁ ଆସିଛି ଏହି ଅଭାବନୀୟ ଖବର । ପଟାମୁଣ୍ଡାଇ ଆଳି ଅଞ୍ଚଳର ପ୍ଲସଟୁ ଛାତ୍ରୀ ଅଙ୍କିତା ଯୁକ୍ତ ଦୁଇ ବିଜ୍ଞାନରେ ୮୭ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ଅଧିକ ମାର୍କର ଆଶା ରଖିଥିବା ଅଙ୍କିତାଙ୍କୁ ରେଜଲ୍ଟ ବାହାରିବା ପରେ ଶକ୍ତ ଧକ୍କା ଲାଗିଥିଲା ।

ମାନସିକ ଭାରସ୍ୟାମ ହରାଇ ଦାଣ୍ଡିସାହି ନିକଟ ବ୍ରହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ପଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଅଗ୍ନିଶମ କର୍ମଚାରୀ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଙ୍କିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପରୀକ୍ଷାରେ କମ ନମ୍ବର ରହିବାକୁ ତିନି ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବାଲେଶ୍ୱରର ଜଣେ ଛାତ୍ରୀ ।

ନୀଳଗିରି ଏନଏସି ଅଧିନ ସମୁଳିଆ ଗାଁର ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ମହଲ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ସେ ପ୍ରଥମ ଶ୍ରେଣୀରେ ପାସ କରିବେ ବୋଲି ଆଶା ରଖିଥିଲେ । କିନ୍ତୁ ମାର୍କ କମ ଆସିବାରୁ ମାନସିକ ଚାପଗ୍ରସ୍ତ ହୋଇ ଛାତରୁ ଡେଇଁ ପଡିଥିଲେ । ତୁରନ୍ତ ତାଙ୍କୁ ବାଲେଶ୍ୱର ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି ।