ଡ଼ାକ୍ତର ଅଛନ୍ତି ସିଟ୍ ନାହିଁଁ । ରୋଗୀ ଅଛନ୍ତି ବେଡ଼ ନାହିଁ । ତଳେ ଶୁଆଇ ରୋଗୀଙ୍କୁ କରାଯାଉଛି ଚିକିତ୍ସା ।

31

କନକ ବ୍ୟୁରୋ: ବେଡ଼୍ ଉପରେ ଓ ତଳେ ଚାଲିଛି ରୋଗୀଙ୍କ ଚିକିତ୍ସା । ଆଉ ବେଡ଼୍ ରେ ବନ୍ଧା ହୋଇଛି ରୋଗୀଙ୍କୁ ଦିଆଯାଉଥିବା ସାଲାଇନ୍ । ୮ ଘଂଟା ବଦଳରେ ୨ ଘଂଟାରେ ସରୁଛି ଡ଼ାକ୍ତର ଡ଼୍ୟୁଟି । ଏଭଳି ଅଭାବନୀୟ ଚିକିତ୍ସା ବ୍ୟବସ୍ଥା ଚାଲିଛି ଜୟପୁର ମେଡ଼ିକାଲରେ । ଡାକ୍ତରଖାନାରେ ରୋଗୀ ପାଇଁ ଆବଶ୍ୟକ ସଂଖ୍ୟକ ବେଡ଼ ନାହିଁ । କିନ୍ତୁ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଫଳରେ ରୋଗୀଙ୍କୁ ତଳେ ସୁଆଇ ଚିକିତ୍ସା କରାଯାଉଛି । ଏମିତିକି ଗୁରୁତର ରୋଗୀଙ୍କୁ ତଳେ ସୁଆଇ ଅକ୍ସିଜେନ ଦିଆଯାଉଥିବା ଦେଖିବାକୁ ମିଳିଛି । ଆଉ ତଳେ ଶୋଇଥିବା ରୋଗୀଙ୍କୁ ବେଡରେ ବନ୍ଧା ହୋଇ ସାଲାଇନ୍ ଦିଆଯାଉଛି ।

ନିକଟରେ ଉପଖଣ୍ଡରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ମାନ୍ୟତ ପାଇଛି ଜୟପୁର ମେଡ଼ିକାଲ । ଚିକିତ୍ସା ପାଇଁ ସକାଳୁ ସକାଳୁ ଏହି ଡାକ୍ତରଖାନାରେ ରୋଗୀଙ୍କ ଧାଡ଼ି ଲାଗୁଥିବା ବେଳେ ରୋଗୀଙ୍କ ବେଡ୍ ନାହିଁ । ଫଳରେ କିଏ ତଳେ ଶୋଇ ଚିକିତ୍ସିତ ହେଉଛି ତ ଆଉ କିଏ ଚିକିତ୍ସା ପାଇଁ ଛଟପଟ ହେଉଛି । ବର୍ଷା ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢିଯିବାରୁ ଡାକ୍ତରଖାନାରେ ଏଭଳି ସ୍ଥିତି ଉପୁଜି ଥିବା କହିଛନ୍ତି ଚିକିତ୍ସା ଯୋଗାଉଥିବା ସ୍ୱାସ୍ଥକର୍ମୀ ।

ତେବେ ଏଠି ପ୍ରଶ୍ନ ଉଠୁଛି ଡ଼ାକ୍ତର ପଦବୀ ପୂରଣ ପରେ ବି କାହିଁକି ଚାଲିଛି ଏଭଳି ଚିକିତ୍ସା? କାହିଁକି ୨ ଘଂଟା ଡ୍ୟୁଟି କରୁଥିବା ଡାକ୍ତର ବାକି ୪ ଘଂଟା କ’ଣ କରନ୍ତି? ଏ ସବୁ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଜୟପୁର ଏସଡ଼ିଏମଏଓ । ଆଉ କହିଛନ୍ତି ତାଙ୍କୁ ମିଳିଥିବା ଡ଼୍ୟୁଟି ଚାଟ ଅନୁସାରେ ଗୋଟିଏ ଡ଼ାକ୍ତରଙ୍କୁ ୨ ଘଂଟା ଡ଼୍ୟୁଟି ମିଳୁଛି । ଧିରେ ଧିରେ ସବୁ କିଛି ଠିକ୍ ହୋଇଯିବ କହି ନିଜ ମୁଣ୍ଡର ଦୋଷ ଛଡେଇ ଦେଇଛନ୍ତି । ମେଡ଼ିକାଲର ଉନ୍ନତିକରଣ ପାଇଁ କାଗଜ କଲମରେ କାମ ସରିଥିବା ବେଳେ କାର୍ଯ୍ୟରେ ପରିଣତ ହୋଇପାରି ନାହିଁ । ଯାହକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।