ମୁମ୍ବାଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣା : ମୃତକଙ୍କ ପରିବାରକୁ ହାତଯୋଡି କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସହାୟତା ରାଶି ଘୋଷଣା

145

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନଗର ନିଗମର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ମୃତକଙ୍କ ପରିବାରକୁ ହାତଯୋଡି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କି କରୋନା ମହାମାରୀ କାରଣରୁ ଏହି ହସ୍ପିଟାଲକୁ ଅନୁମତି ଦିଆଯାଇଥିଲା । ଏହି ଅନୁମତିର ଶେଷ ତାରିଖ ମାର୍ଚ୍ଚ ୩୧ ଯାଏ ଥିଲା । ହେଲେ ତାହା ପୂର୍ବରୁ ଏଭଳି ଦୁର୍ଘଟଣା ଘଟିଗଲା । ଉଦ୍ଧବ ଠାକରେ କହିଛନ୍ତି କି ନିଆଁ ହସ୍ପିଟାଲରେ ଲାଗି ନଥିଲା । ହସ୍ପିଟାଲ ନିକଟରେ ଥିବା ଏକ ଦୋକାନରେ ନିଆଁ ଲାଗିଥିଲା, ତହା ହସ୍ପିଟାଲକୁ ବ୍ୟାପି ଯାଇଥିଲା । ଏହାସହ ଏହି ଘଟଣାରେ ଦୋଷୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

କହିରଖୁ କି ମୁମ୍ବାଇର ମାଣ୍ଡୁପ ଅଞ୍ଚଳରେ ଥିବା ଡ୍ରିମ ମଲରେ ଗୁରୁବାର ରାତିରେ ନିଆଁ ଲାଗିଯାଇଥିଲା । ଏହି ମଲର ତୃତୀୟ ମହଲାରେ ହସ୍ପିଟାଲ ଥିବାର ମଲର ନିଆଁ ହସ୍ପିଟାଲକୁ ବ୍ୟାପି ଯାଇଥିଲା । ହସ୍ପିଟାଲରେ ୭୦ ରୁ ଅଧିକ କୋଭିଡ ରୋଗି ଥିବା ବେଳେ ଏହି ନିଆଁରେ ୧୦ ଜଣ ରୋଗି ଜଳିଯାଇଥିଲେ ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ନିଆଁରେ ପୋଡି ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।