ମୃତ ରୋଗୀଙ୍କୁ ଔଷଧ ଦେବା ପାଇଁ ଟଙ୍କା ଦାବି କଲା ଘରୋଇ ହସ୍ପିଟାଲ୍ । ଭୁବନେଶ୍ୱରରୁ ଆସିଲା ଚିକିତ୍ସା ନାଁରେ ଶୋଷଣର ସାଂଘାତିକ ଅଭିଯୋଗ, ହସ୍ପିଟାଲ୍ କର୍ତ୍ତୃପକ୍ଷ ଚୁପ୍ ।

1,216

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଶୋଷଣର ସାଂଘାତିକ୍ ଅଭିଯୋଗ । ମୃତ ରୋଗୀଙ୍କୁ ଔଷଧ ଦେବା ପାଇଁ ଟଙ୍କା ଦାବି କଲେ ହସ୍ପିଟାଲ କର୍ମଚାରୀ । ଆଉ ରୋଗୀଙ୍କ ସମ୍ପର୍କୀୟଙ୍କୁ ବଢ଼ାଇ ଦେଇଛନ୍ତି ପ୍ରାୟ ୮୦ ହଜାର ଟଙ୍କାର ବକେୟା ବିଲ୍ । ଏନେଇ ମୃତବ୍ୟକ୍ତିଙ୍କ ପୁଅ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।

ଫିଲ୍ମ ପରଦାରେ ଦେଖାଯାଉଥିବା ଦୃଶ୍ୟ, କେବଳ କାଳ୍ପନିକ କାହାଣୀ ତାହା ନୁହେଁ ବରଂ ବେଳେବେଳେ ବାସ୍ତବ ଜୀବନ ସହ ଏହା ଏଭଳି ସାମଞ୍ଜସ୍ୟ ରଖେ, ଯାହା ଚିକିତ୍ସା ନାଁରେ ଚାଲିଥିବା ବ୍ୟବସାୟର କାହାଣୀକୁ ପଦାରେ ପକାଇଦିଏ । ଠିକ୍ ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ।

ମୃତ ରୋଗୀଙ୍କ ପାଇଁ ମେଡ଼ିସିନ୍ ! ଔଷଧ ଦେବା ପାଇଁ ଟଙ୍କା ଦାବି । ମରିଯାଇଥିବା ଜଣେ ରୋଗୀଙ୍କୁ ଔଷଧ ଦେବା ଜରୁରୀ କହି, ହସ୍ପିଟାଲ ପକ୍ଷରୁ ଟଙ୍କା ଦାବି କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ମୃତକଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ, ସୋମବାର ଦିନ ସାଢେ ୧୧ଟା ବେଳେ ଡାକ୍ତର କହିଲେ, ରୋଗୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ଅଛି । ପରେ ଅଧଘଂଟାଏ ପରେ ଅର୍ଥାତ୍ ଦିନ ୧୨ଟାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ହେଲେ ଦିନ ପ୍ରାୟ ୨ରୁ ୩ଟା ବେଳେ ରୋଗୀଙ୍କୁ ଔଷଧ ଦେବା ପାଇଁ ଟଙ୍କା ପଇଠ କରିବା ପାଇଁ ଦାବି ହୋଇଥିଲା ।

ଗଂଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳର ଜଣେ ୬୨ ବର୍ଷିୟ ବ୍ୟକ୍ତି ଜୁଲାଇ ୨୨ ତାରିଖରେ ଶ୍ୱାସକ୍ରିୟ ଜନିତ ସମସ୍ୟା ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠି କରୋନା ପଜିଟିଭ ଜଣାପଡିବା ପରେ ବି ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇନଥିଲା । ଏବଂ ମୃତ୍ୟୁ ପରେ ବି ଔଷଧ ପାଇଁ ଟଙ୍କା ଦାବି କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ସବୁଠାରୁ ବଡ କଥା ହେଉଛି ଅଣକୋଭିଡ ହସ୍ପିଟାଲରେ କିଭଳି କୋଭିଡ ରୋଗୀଙ୍କ ଚିକିତ୍ସା କରାଯାଉଥିଲା ? କରୋନା ପଜିଟିଭ ରିପୋର୍ଟ ଆସିବା ପରେ ବି କାହିଁକି କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରାଗଲା ନାହିଁ ? ଏବଂ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ଆଣିଥିବା ଅଭିଯୋଗରେ କେତେ ସତ୍ୟତା ରହିଛି ? ସେ ସମ୍ପର୍କରେ ସଂପୃକ୍ତ ହସ୍ପିଟାଲର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।