ରୋଜଗାର ଦେଉଛି ଉଦ୍ୟାନ କୃଷି । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତଙ୍କ ପ୍ରୟାସ । ୪ ଏକର ଜାଗାରେ ଫାର୍ମ କରି ନିଜେ ରୋଜଗାର କରିବା ସହ ୪୦ ଜଣଙ୍କୁ ଦେଇଛନ୍ତି ନିଯୁକ୍ତି

101

କନକ ବ୍ୟୁରୋ: ଶିକ୍ଷିତ ଯୁବକଙ୍କୁ ଉଦ୍ୟାନ କୃଷି ବି ଦେଇପାରେ ରୋଜଗାର । ଅନ୍ୟକୁ କର୍ମସଂସ୍ଥାନ ଦେବା ସହ କରିପାରେ ସ୍ୱାବଲମ୍ବୀ । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତଙ୍କ କଥା । ନିଜର ୪ଏକର ବିଶିଷ୍ଟ ଫାର୍ମରେ ୪୦ଜଣଙ୍କୁ ନିଯୁକ୍ତି ଦେବା ସହ ବାର୍ଷିକ ୫୦ରୁ ୬୦ଲକ୍ଷଟଙ୍କାର ବ୍ୟବସାୟ କରି ହୋଇପାରିିଛନ୍ତି ବେଶ୍ ଆତ୍ମନିର୍ଭରଶୀଳ ।

ଉଦ୍ୟାନ କୃଷି ବି ଦେଖାଇପାରେ ରୋଜଗାରର ବାଟ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତ । ଦଶମ ଶ୍ରେଣୀରେ ପାଠ ପଢିବା ଦିନୁ ଅବିନାଶଙ୍କର ରହିଥିଲା ଉଦ୍ୟାନ କୃଷି ପ୍ରତି ଅହେତୁକ ଆଗ୍ରହ । ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟରୁ ବିଏ ପାସ୍ କରିବା ସହ ନିଜ ଗାଁ ପାଖରେ ମାତ୍ର ୬ଗୁଣ୍ଠ ଜାଗାରେ ତିନି ଚାରିଜଣ ଶ୍ରମିକଙ୍କୁ ନେଇ ପନ୍ଦର ବର୍ଷ ତଳେ ଆରମ୍ଭ କରିଥିଲେ ଛୋଟିଆ ନର୍ସରୀଟିଏ । ମାତ୍ର ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଏବେ ସେ ବେଶ୍ ସ୍ୱାବଲମ୍ବୀ ହେବା ସହ ୪ଏକର ପରିମିତ ଜାଗାରେ ବେଶ୍ ଶୋଭାପାଉଛି ତାଙ୍କର ନର୍ସରୀ । ନିଜର ଏହି ଉଦ୍ୟାନ କୃଷିଭିତିକ ଫାର୍ମରେ ୪୦ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ସହ ନିଜେ ମଧ୍ୟ ବେଶ୍ ଦୁଇପଇସା ରୋଜଗାରକ୍ଷମ ହୋଇପାରିଛନ୍ତି ।

ଅବିନାଶଙ୍କ ନର୍ସରୀରେ ଆମ୍ବ ,ଚନ୍ଦନ,ଅଁଳା, ରୁଦ୍ରାକ୍ଷ, ପିଜୁଳି, ପେସ୍ତାବାଦାମ, ଲେମ୍ବୁ,ସଜନା, କୃଷ୍ନଚୂଡା, ପରି ଭଳିକି ଭଳି ଗଛ ରହିଛି । ପାଖାପାଖି ତିନିଶହ ପ୍ରଜାତିର ଚାରା ରହିଥିବା ବେଳେ ବିଭିନ୍ନ ବଡ଼ ସଂସ୍ଥାକୁ ମଧ୍ୟ ସେ ଚାରା ଯୋଗାଉଛନ୍ତି । ଏହାସହ ରାଜ୍ୟର ୨୦ଜିଲ୍ଳାକୁ ଚାରା ଯୋଗାଇ ବାର୍ଷିକ ୫୦ରୁ ୬୦ଲକ୍ଷ ଟଙ୍କାର ବ୍ୟବସାୟ କରିବାରେ ସକ୍ଷମ ହୋଇପାରିଛନ୍ତି । ତେବେ ଆଗାମୀ ଦିନରେ ବିଦେଶୀ ଗଛର ଚାରା ବଢ଼ାଇ ଏହାର ବ୍ୟବସାୟ ବଢାଇବାକୁ ଲକ୍ଷ ରଖିଛନ୍ତି ଅବିନାଶ ।