କରାଳ ରୂପ ଦେଖାଉଛି କରୋନା : ଗଂଜାମରେ ୪ଦିନରେ ୩ ସାମ୍ବାଦିକଙ୍କ ମୃତ୍ୟୁ

536

କନକ ବ୍ୟୁରୋ : କରୋନା ତାର କରାଳ ରୂପ ଦେଖାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ କରୋନାରେ ଆଖି ବୁଜିଲେଣି ୩ ଜଣ ସାମ୍ବାଦିକ । ଏମାନେ ହେଲେ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା, ମନୋଜ ସାହୁ ଓ କରୁଣାକର ସାହୁ ।

ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ ଭଳି ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୁଇଦିନ ହେଲା ସେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସକ୍ରିୟାରେ ଭୀଷଣ ସମସ୍ୟା ହେଉଥିଲା । ହେଲେ ଗତକାଲି ରାତି ପ୍ରାୟ ୩ଟାରେ ତାଙ୍କର ଦହୋନ୍ତ ହୋଇଥିବା ଜଣାପଡିଛି ।

ସେହିପରି କରୋନାରେ ଆଖି ବୁଜିଛନ୍ତି ନିତିଦିନ ଖବରକାଗଜର ଚିକିଟି ପ୍ରତିନିଧି ମନୋଜ କୁମାର ସାହୁ । ସେ ମଧ୍ୟ ବ୍ରହ୍ନପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇପଡିଥିଲା । ଆଜି ଦିନ ୧୦ଟାରେ ସେ ଆଖି ବୁଜିଥିବା ସୂଚନା ମିଳିଛି ।

ଗତ ମଙ୍ଗଳବାର କରୋନାରେ ଆଖି ବୁଜିଥିଲେ ଅନୁପମ ଭାରତର ସେରଗଡ ବ୍ଲକ ପ୍ରତିନିଧି କରୁଣାକର ସାହୁ । ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବାପରେ ତାଙ୍କୁ ହିଂଜିଳିକାଟୁ ସବ ଡିଭିଜନ ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ମହାମାରୀ କାଳରେ ସାମ୍ବାଦିକମାନେ ଆପଣଙ୍କ ପାଖରେ ଟିଖିନିଖି ଖବର ପହଂଚାଇବାକୁ ଆଗ ଧାଡିର ଯୋଦ୍ଧା ଭାବରେ ଅହରହ କାମ କରୁଥିବାବେଳେ କରୋନା ସଂକ୍ରମିତ ହେବା ଓ ଜୀବନ ହରାଇବା ଭଳି ଖବର ନିଶ୍ଚିତ ଚିନ୍ତାଜନକ ।