ଭଉଣୀର ପ୍ରେମିକକୁ ମାରିଦେଲା ଭାଇ । ରାୟଗଡ଼ାରୁ ଆସିଲା ଅନର କିଲିଂର ସାଂଘାତିକ୍ ଖବର, ଦୁଇ ବନ୍ଧୁଙ୍କ ସହ ଗୁଳି କରି ମାରିବା ପରେ ପଥର ଖୋଳରେ ଲୁଚାଇ ଥିଲେ ମୃତଦେହ, ୩ ମାସ ପରେ ଉଦ୍ଧାର ହେଲା ନରକଙ୍କାଳ ।

1,791

କନକ ବ୍ୟୁରୋ : ରାୟଗଡାରେ ଅନର କିଲିଂ । ପାହାଡ଼ ଉପରେ, ପଥର ଖୋଳ ଭିତରୁ ଉଦ୍ଧାର ହୋଇଛି ନରକଙ୍କାଳ । ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ଅଭିଯୁକ୍ତ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଭଉଣୀର ପ୍ରେମିକକୁ ହତ୍ୟା କରିଛି ଭାଇ ।

ହରର୍ ଫିଲ୍ମର କୌଣସି ଦୃଶ୍ୟ ଭଳି ଲାଗୁଥିବା ଏହି ଚିତ୍ର ପଛରେ ଲୁଚି ରହିଛି ଏକ ସାଂଘାତିକ ଯୋଜନା ବଦ୍ଧ ହତ୍ୟାକାଣ୍ଡର କାହାଣୀ । ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ କେଉଁ ସ୍ଥରକୁ ଯାଇପାରନ୍ତି ଇଏ ହେଉଛି ତାର ଚିତ୍ର । ପାହାଡ଼ ଉପରେ, ପଥର ଖୋଳ ଭିତରୁ ଉଦ୍ଧାର ହୋଇଛି ନରକଙ୍କାଳ ।

ଉଉଣୀର ପ୍ରେମିକକୁ ମାରିଲା ଭାଇ ! ଚର୍ଚ୍ଚାରେ ରାୟଗଡ଼ାର ଅନର କିଲିଂ । ହତ୍ୟା କାଣ୍ଡର ପ୍ରାୟ ତିନି ମାସ ପରେ ଉଦ୍ଧାର ହୋଇଥିବା ଏହି କଙ୍କାଳ ହେଉଛି, ମୃତ ମନୋରଂଜନ ବଳିଆରସିଂହଙ୍କର । ପୁଲିସ୍ ସୂଚନା ଅନୁସାରେ, ପ୍ରେମ ଜନିତ କାରଣରୁ କନ୍ଧମାଳ କୁଟଗଡ଼ ଗାଁର ମନୋରଂଜନକୁ ହତ୍ୟା କରାଯାଇଛି । ମନୋରଂଜନ, ବିଷମକଟକ ସିନ୍ଧିପଙ୍କା ଗାଁର ନକୁଳ ଦଣ୍ଡସେନାଙ୍କ ଭଉଣୀଙ୍କୁ ପ୍ରେମ କରୁଥିଲେ । ଯାହା, ନକୁଳଙ୍କ ଏବଂ ତାଙ୍କ ପରିବାର ଲୋକଙ୍କୁ ଉତକ୍ଷିପ୍ତ କରିଥିଲା । ଆଉ ଏହା ପରେ ହୋଇଥିଲା ହତ୍ୟାର ଷଡଯନ୍ତ୍ର ।

ଗିରଫ ହୋଇଥିବା ନକୁଳ ଦଣ୍ଡସେନା ଏବଂ ତାର ଦୁଇ ସହଯୋଗୀ, ଗଣେଶ୍ୱର ସାହୁ ଏବଂ ରଘୁନାଥ ଭଟ୍ଟ, ମନୋରଂଜନଙ୍କୁ ରାସ୍ତାରୁ ସଫା କରିବା ପାଇଁ ଯୋଜନା କରିଥିଲେ । ମନୋରଂଜନଙ୍କୁ ଜଙ୍ଗଲକୁ ଡାକି ନେଇ ପ୍ରଥମେ ଗୁଳି କରିବା ପରେ ଛୁରା ମାଡ଼ କରାଯାଇଥିଲା । ଆଉ ହତ୍ୟାକାଣ୍ଡକୁ ଚପାଇ ଦେବା ପାଇଁ ଅଭିଯୁକ୍ତମାନେ ଚନ୍ଦ୍ରପୁର ଥାନା ଅନ୍ଧଲିଆ ଜଙ୍ଗଲର ପଥର ଖୋଳରେ ଲୁଚାଇ ଦେଇଥିଲେ । ହତ୍ୟାକାଣ୍ଡର ରହସ୍ୟ ସାମ୍ନାକୁ ଆସିବା ପରେ ଅଧିକ ତଦନ୍ତ ପାଇଁ ମୃତଦେହର ଫରେନସିକ ଯାଂଚ୍ ଏବଂ ଡିଏନ୍ଏ ଟେଷ୍ଟ କରାଯିବା ନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ।