କନକ ବ୍ୟୁରୋ: ବିବାହ ଭୋଜି ଖାଇ ଫେରିବାବେଳେ ଘରର କାନ୍ଥରେ ପିଟି ହେଲା କାର । ଅକାଳରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ । ଏଭଳି ଏକ ଦୁଃଖଦ ଖବର ଆସିଛି ଆଠଗଡ, ତିଗିରିଆ ଅଂଚଳରୁ । ଗତକାଲି ବିଳମ୍ବିତ ରାତିରେ ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି । ବିବାହ ଭୋଜି ଖାଇ ଫେରୁଥିବାବେଳେ କାରଟି ଏକ ଘରର କାନ୍ଥରେ ପିଟି ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କାରଟି ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି । ଫଳରେ ଏଥିରେ ଥିବା ୪ ସାଙ୍ଗଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଁଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନା ପଠାଇଛି ।

ସେପଟେ କୁହୁଡି ଯୋଗୁଁ ବସ୍- ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ଚାଲିଗଲା ୨ ଜଣଙ୍କ ଜୀବନ । କଟକ ଜିଲ୍ଲା ସାଲେପୁର ଥାନା କଟକ ଚାନ୍ଦବାଲି ରାସ୍ତାରେ ନିଶ୍ଚିନ୍ତକୋଇଲି ବିବିଏନ୍ ପ୍ଲାଷ୍ଟିକ୍ କମ୍ପାନୀ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଘରୋଇ ବସ ସୁନାରୁପା ନନ୍ଦଲାଲା କେନ୍ଦ୍ରାପଡାରୁ କଟକ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଏକ ବାଇକ୍କୁ ଧକ୍କା ଦେଇଥିଲା । ବାଇକ୍ରେ ୨ ସାଙ୍ଗ ଯାଉଥିଲେ । ଦୁର୍ଘଟଣାରେ ବାଇକ୍ଟି ବସ୍ ତଳେ ଚାପି ହୋଇଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ୨ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨ ଜଣ ମୃୃତ ରଘୁନାଥପୁର ଅଂଚଳର ବୋଲି ଜଣା ପଡିଛି ।