କନକ ବ୍ୟୁରୋ: ଦୁର୍ଘଟଣା ସବୁକିଛି ଛଡେଇନିଏ । ଜୀବନ ନେଇଯାଏ, ସ୍ୱପ୍ନ ଭାଙ୍ଗିଦିଏ, କୋଳ ଖାଲି କରିଦିଏ... କାହାର ଭୁଲ, କାହାର ଅସାବଧାନତା ଏବଂ ଆଉ କାହାର ବେପରୁଆ ଗାଡି ଚାଳନା ପାଇଁ ସବୁବେଳେ ଅନ୍ୟଜଣେ ହିଁ ଶାସ୍ତି ପାଉଥାଏ । ଆଉ ସେ ଶାସ୍ତିର ଗୋଟେ ଗୋଟେ ଚିତ୍ର ଏମିତି ଶୋକାକୂଳ ପରିବେଶ ସୃଷ୍ଟି କରେ । ନିଶ୍ଚିନ୍ତକୋଇଲି ବସ ଦୁର୍ଘଟଣା କାହା ପାଖରୁ ପୁଅକୁ ଛଡାଇ ନେଇଛି ତ ପୁଣି କାହା ପାଖରୁ ଝିଅକୁ । ଦୁଇ ପରିବାରରୁ ଦୁଇ ଜଣଙ୍କୁ ନେଇଯାଇ ଦେଇଯାଇଛି ଯନ୍ତ୍ରଣାର ଦାଗ ।

Advertisment

ମଙ୍ଗଳବାର ସକାଳେ ସକାଳେ ବସରେ ବସି ଭୁବନେଶ୍ୱର ବାହାରିଥିଲେ ରାଜକନିକା ଓଡିଗିରିଆ ଗାଁର ଲମ୍ବୋଦର ଗାହାଣଙ୍କ ଏକମାତ୍ର ପୁଅ ନଳିନୀକାନ୍ତ । ଡିପ୍ଲୋମା ଇଞ୍ଜିନିୟରିଂ ପରୀକ୍ଷା ଦେବା ପାଇଁ ସେ ଚନ୍ଦନ ପୋଖରୀ ଛକରୁ ଭୋର ୫ଟାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ଏହି ଯାତ୍ରା ଯେ ତାଙ୍କର ଶେଷଯାତ୍ରା ହେବ ତାହା ସେ ଭାବିନଥିଲେ । ବସ କିଛି ଦୂର ଯାଇଛି କି ନାହିଁ ଦୁର୍ଘଟଣା ହେଲା ଆଉ ସେଥିରେ ତାଙ୍କ ପ୍ରାଣବାୟୁ ଉଡିଗଲା । ତାସହ ତାଙ୍କ ସ୍ୱପ୍ନ ବି ଦୁର୍ଘଟଣାରେ ସବୁଦିନ ପାଇଁ ସମାଧି ନେଇଗଲା...

ଏପଟେ ପୁଅର ମୃତ୍ୟୁ ଖବରକୁ ସହଜେ ଗ୍ରହଣ କରି ପାରି ନାହାନ୍ତି ପରିବାର ଲୋକେ । ବାପା କିଛି କହି ପାରୁ ନାହାନ୍ତି, ଭଉଣୀ ପାଗେଳିପ୍ରାୟ କାନ୍ଦୁଛନ୍ତି । ଘରର ଗୋଟିଏ ପୁଅ, ଆଗକୁ ନାହିଁ କି ପଛକୁ । ହେଲେ ନିଷ୍ଠୁର ସମୟ ସେତକ ବି ଛଡେଇ ନେଇ ବାପାମାଆଙ୍କ କୋଳ ଖାଲି କରିଦେଲା ।

ସେପଟେ ମନୋରମା ବସରେ ବସି ମେଡିକାଲ ଆସୁଥିବା ଦୁଇ ଭଉଣୀଙ୍କ ଭିତରୁ ଜଣଙ୍କୁ ଛଡାଇ ନେଇଛି ମୃତ୍ୟୁ । ଆଳି ବାଳକାଟିରୁ ବସରେ କଟକ ଅଭିମୁଖେ ବାହାରିଥିଲେ ବଡଆଙ୍କୋ ଗାଁର ଅର୍ଜୁନ ବାରିକଙ୍କ ଦୁଇ ଝିଅ ଅର୍ଚ୍ଚନା ଏବଂ ଅନସୂୟା । ହେଲେ ଦୁର୍ଘଟଣାରେ ପାଖରେ ବସି ସାଙ୍ଗରେ ଯାତ୍ରା କରୁଥିବା ସାନ ଭଉଣୀର ମୃତ୍ୟୁ ହେବା ପରେ ନିଜକୁ ସମ୍ଭାଳି ପାରୁନି ବଡ ଭଉଣୀ । ଅନସୂୟାଙ୍କ ଦେହ ଖରାପ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ନେଉଥିଲେ ଅର୍ଚ୍ଚନା । କିନ୍ତୁ କିଏ ଜାଣିଥିଲା ମେଡିକାଲ ପହଞ୍ଚିବା ଆଗରୁ ତାଙ୍କୁ ଆଗୁଆ ଡାକିନେବ ମୃତ୍ୟୁ... ସାନ ଝିଅକୁ ହରାଇ ସ୍ଥାଣୁ ପାଲଟି ଯାଇଛନ୍ତି ବାପା, ମାଆ ଓ ଭଉଣୀ ଘରେ ମୁଣ୍ଡ ପିଟି କାନ୍ଦୁଛନ୍ତି । ଘରର ଜଣଙ୍କ ହରାଇ ପୂରା ଭାଙ୍ଗିପଡିଛି ପରିବାର ।

ସତରେ ପ୍ରତି ଦୁର୍ଘଟଣା କିଛି ନା କିଛି କ୍ଷତି କରେ । ଦିନ ସିନା ଲିଭିଯାଏ ହେଲେ ଦାଗ ଓ ଦରଜ କେବେ ଲିଭେନା । ଦୁର୍ଘଟଣା ପରେ ଦୋଷ ଠେଲା ହୁଏ । କିନ୍ତୁ ସେସବୁ ଛାଡି ଆତ୍ମସମୀକ୍ଷା କରିବା ଦରକାର । ଏତେ ଲୋକଙ୍କ ଜୀବନ ନେଇ ଯାତ୍ରା କରୁଥିବା ବସ ଡ୍ରାଇଭର ସଚେତନ ଓ ସତର୍କ ରହିବା ଆବଶ୍ୟକ...