କନକ ବ୍ୟୁରୋ: ଭାରତୀୟ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଏକ ବଡ଼ ସଂକେତ ଦେଇଛନ୍ତି । ଧୋନି କହିଛନ୍ତି ଯେ ନିଜର ଶେଷ ଟି-୨୦ ମ୍ୟାଚ ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳିବେ । ତେବେ କେବେ ଏହି ମ୍ୟାଚ ଖେଳିବେ ସେ ସଂପର୍କରେ ସେ କିଛି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଏଥିରୁ ଅନୁମାନ କରାଯାଉଛି ଯେ ସେ ଆଇପିଏଲରୁ ବି ଅବସର ନେବାକୁ ଯୋଜନା କରିସାରିଲେଣି ।
ଆଜି ଚେନ୍ନାଇଠାରେ ଚେନ୍ନାଇ ସୁପରକିଙ୍ଗସର ବିଜୟ ଉତ୍ସବ ପାଳନ ହୋଇଛି । ଏହି ଉତ୍ସବରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କିମ୍ବଦନ୍ତି କ୍ରିକେଟ ଖେଳାଳି କପିଳ ଦେବ, ଧୋନି ଓ ବିସିସିଆଇ ସେକ୍ରେଟାରୀ ଜୟ ଶାହା ଯୋଗ ଦେଇଥିଲେ ।
ଏହି ଅବସରରେ ଧୋନି କହିଛନ୍ତି “ ମୁଁ ସବୁବେଳେ ନିଜ କ୍ରିକେଟକୁ ନେଇ ଯୋଜନା କରିଥାଏ । ନିଜର ଶେଷ ଏକଦିବସୀୟ ମ୍ୟାଚ ରାଞ୍ଚିରେ ଖେଳିଥିଲି । ଆଶାକରୁଛି, ନିଜର ଶେଷ ଟି-୨୦ ଚେନ୍ନାଇର ଚିପକରେ ଖେଳିବି । ତେବେ ସେହି ଶେଷ ମ୍ୟାଚ ୧ ବର୍ଷ ପରେ ହେଉ କିମ୍ବା ୫ ବର୍ଷ ପରେ ଆସିବ ତାହା ମୁଁ ଜାଣିନାହିଁ ।“
ଧୋନୀ ଗତ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଅନ୍ୟପକ୍ଷରେ ସେ ୨୦୦୮ରୁ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଅଛନ୍ତି । ତାଙ୍କ ନେତୃତ୍ବରେ ଚେନ୍ନାଇ ୪ ଥର ଆଇପିଏଲ ଚାମ୍ପିଅନ ହୋଇଛି ।