କନକ ବ୍ୟୁରୋ : ୨୦୨୪ ଭିତରେ ପାକ୍ ଅଧିକୃତ କାଶ୍ମୀର ବା ପିଓକେ ଭାରତ କବଜାକୁ ଆସିପାରେ । ଏକ ସଭାରେ କେନ୍ଦ୍ରମନ୍ତ୍ରୀ କପିଲ ପାଟିଲ କିଛି ଏଭଳି କହିଛନ୍ତି । କେବଳ ଏତିକି ଆଳୁ, ପିଆଜର ଦାମ କମାଇବା ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ଦେଶ ପାଇଁ ସାହସିକ ପଦକ୍ଷେପ ନେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ମହାରାଷ୍ଟ୍ରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କପିଲ କହିଛନ୍ତି, ଲୋକେ ପିଆଜ, ଆଳୁ ଦରବୃଦ୍ଧିକୁ ନେଇ ଅଭିଯୋଗ କରୁଛନ୍ତି । କିନ୍ତୁ ପିଜ୍ଜା ଓ ମଟନ କିଣିବାରେ କୁଣ୍ଠାବୋଧ କରୁନାହାନ୍ତି । ତେବେ ମୋଦୀ ପିଆଜ ଓ ଆଳୁ ଦର କମ କରିବାକୁ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ସବୁ ସାମଗ୍ରୀର ଦର ବଢିବା ପଛର କାରଣ ଜାଣିଲେ ଆପଣ ମଧ୍ୟ ମୋଦୀ ସରକାରଙ୍କୁ ଦୋଷ ଦେବେ ନାହିଁ ।
#WATCH | Thane, Maharashtra: Union Minister & BJP leader Kapil Patil says, "...Hope PoK (Pakistan Occupied Kashmir) is integrated in India by 2024 as these things can be done only by PM Modi. For this we'll have to come out of (the mindset for) potato, onions, pulses." (29.01.22) pic.twitter.com/H3dKO5aBd6
— ANI (@ANI) January 31, 2022
ଏହାସହ କପିଲ କହିଛନ୍ତି, ନରସିଂହ ରାଓ ଯେବେ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ମିଳିତ ସଂସଦ ଅଧିବେଶନ ଡାକିଥିଲେ ଏବଂ ଏଥିରେ ଏକ ବିଲ୍ ପାସ କରାଇଥିଲେ । ଏଥିରେ କାଶ୍ମୀର ବାବଦରେ ଉଲ୍ଲେଖ ଥିଲା । କାଶ୍ମୀରର କିଛି ଅଞ୍ଚଳ ପାକିସ୍ତାନରେ ଥିବାରୁ ଏହା ଦେଶ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହାକୁ ପୁଣିଥରେ ଫେରାଇ ଆଣିବାକୁ ପଡିବ, ଯାହାଦ୍ୱାରା କାଶ୍ମୀରକୁ ନେଇ ଦେଖାଦେଉଥିବା ସମସ୍ୟାର ସମାଧାନ ହେବ । ଆଉ ଏବେ ମୋଦୀ ସରକାରରେ ଅମିତ ଶାହାଙ୍କ ଭଳି ଚାଣକ୍ୟ ଅଛନ୍ତି । ଅପେକ୍ଷା କରନ୍ତୁ, ହୋଇପାରେ ୨୦୨୪ ସୁଦ୍ଧା ପାକ୍ ଅଧିକୃତ କାଶ୍ମୀର ବା ପିଓକେ ଭାରତର ହୋଇଯିବ । ଆଉ ଏଭଳି ଆଶା ରଖିବା ନିରର୍ଥକ ମଧ୍ୟ ନୁହେଁ କାରଣ ଏଭଳି କାମ ମୋଦୀ କରିପାରିବେ । ତେଣୁ ଆଳୁ, ପିଆଜ, ଡାଲିର ଦରବୃଦ୍ଧିର ଅଭିଯୋଗରୁ ଆମକୁ ବାହାରକୁ ଆସିବାକୁ ପଡିବ । କୌଣସି ବ୍ୟକ୍ତି ମହଙ୍ଗା ଓ ଜରୁରୀ ସାମଗ୍ରୀର ଦାମ ବୃଦ୍ଧିକୁ ସମର୍ଥନ କରିବେ ନାହିଁ ଏକଥା ସତ । କିନ୍ତୁ ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହା ହିଁ ଦେଶକୁ ଆଗକୁ ନେବାକୁ କିଛି କରିପାରିବେ ।
ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲଗାତାର ଦେଶର ନେତୃତ୍ୱ ନେବାର ଆବଶ୍ୟକତା ରହିଛି । କାରଣ ମୋଦୀ ସରକାରରେ ହିଁ ସିଏଏ ଆଇନ ଆସିଛି. ସମ୍ବିଧାନରୁ ଧାରା ୩୭୦ ଓ ୩୫ ଏ ହଟିଛି । ଆଉ ଏହା ହିଁ ଦର୍ଶାଉଛି ଯେ, ଆସନ୍ତା ୨୦୨୪ ସୁଦ୍ଧା ପିଓକେ ମଧ୍ୟ ଭାରତର ଅଂଶବିଶେଷ ହୋଇ ସାରିଥିବ ।