କନକ ବ୍ୟୁରୋ: ଭଙ୍ଗା ଘରେ ପଲିଥିନ୍ ଜରି ପାଲଟିଛି ଭରସା । ଦୟନୀୟ ଅବସ୍ଥାରେ ରହୁଛନ୍ତି ୫୦ରୁ ଅଧିକ ପରିବାର । ଯାଜପୁର ବଡଚଣା ବ୍ଲକ ମହାଖଳା ଟାଇଲି ସାହିର ଲୋକଙ୍କୁ ମିଳିନି ଘର ଖଣ୍ଡିଏ । ବର୍ଷ ବର୍ଷ ଧରି ରହିଥିବା ପୁରୁଣା ଘର ଭାଙ୍ଗିରୁଜି ପଡିଥିବା ବେଳେ ବହୁବାର ଅନୁରୋଧ ପରେ ବି ସେମାନଙ୍କୁ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Advertisment

ଭଙ୍ଗା ଦଦରା ଘରେ ଟାଇଲି ଛପର । ଆଉ କିଛି ଘରେ ଟଣା ହୋଇଛି ଜରି ପାଲ । ଅତି ଦୟନୀୟ ଅବସ୍ଥାରେ ଭଙ୍ଗାରୁଜା ଘରେ ରହୁଛନ୍ତି ୫୦ରୁ ଅଧିକ ପରିବାର । ଏ ହେଉଛି ଯାଜପୁର ବଡଚଣା ବ୍ଲକ ଭୁଷଣ୍ଡପୁର ପଂଚାୟତର ମହାଖଳା ଟାଇଲି ସାହି । ଏଠାରେ ୫୦ରୁ ଅଧିକ ପରିବାରର ଲୋକ ବସବାସ କରନ୍ତି । ହେଲେ ଦୁଃଖର କଥା ଏପର୍ଯ୍ୟନ୍ତ ମୁଣ୍ଡ ଗୁଂଜିବାକୁ ତାଙ୍କୁ ଭଲ ଘର ଖଣ୍ଡିଏ ବି ମିଳିପାରିନି । ବର୍ଷ ବର୍ଷ ଧରି ରହୁଥିବା ଏହି ପୁରୁଣା ଘର ଗୁଡିକ ଦୂର୍ବଳ ହୋଇଯିବା ସହ ଟାଇଲି ଭାଙ୍ଗି ନଷ୍ଟ ହୋଇଗଲାଣି । କେଉଁଠି ଘର ଉପରେ ଗଛଲତା ମାଡିଗଲାଣି ତ ଆଉ କିଏ ଖରାବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଘର ଉପରେ ଜରି ପାଲ ଘୋଡାଇ ରହିଛି । ବର୍ଷା ଦିନରେ ଲୋକଙ୍କ ଅତି ଦୟନୀୟ ସ୍ଥିତି ଊପୂଜିଛି । ଏତେ ବର୍ଷ ପରେ ବି ସେମାନଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ବି ମିଳିନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗାଁର ଲାକେ ପୂର୍ବରୁ ଏକ ପୋଖରୀ ହୁଡାରେ ଅସ୍ଥାୟୀଭାବେ ବସବାସ କରୁଥିଲେ । ହେଲେ ସେମାନଙ୍କୁ ୧୯୬୨ ମସିହାରେ ମହାଖଳା ଟାଇଲି ସାହିରେ ଥଇଥାନ କରାଯାଇଥିଲା । ସେଠାରେ ଲୋକେ ଟାଇଲି ଛପର ଘରକୁ ଆଦରି ନେଇଥିଲେ । ହେଲେ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ତ ଦୂର କଥା କୌଣସି ସରକାରୀ ଯୋଜନା ବି ମିଳିପାରିନି । ପ୍ରତିଥର ଅଭିଯାଗ ହୋଇଥିଲେ ବି କେବ ପ୍ରତିଶ୍ରୁତିରେ ସରିଯାଉଛି କାମ । ଦୀର୍ଘବର୍ଷ ଧରି କେବଳ ପ୍ରତିଶ୍ରୁତି ନେଇ ଦୟନୀୟ ଅବସ୍ଥାରେ ରହୁଥିବା ଗାଁର ଲୋକମାନଙ୍କୁ ଘର ସହିତ ଅନ୍ୟାନ ସାହାଯ୍ୟ ସହଯୋଗ ଯୋଇବା ଜରୁରୀ ହୋଇଛି ।