ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କୁ ଦିଆଯାଇପାରେ ବିଶ୍ରାମ ! ଜାଣନ୍ତୁ କାହାକୁ ମିଳିପାରେ ସୁଯୋଗ?

269

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ମହାବିଜୟ ହାସଲ କରିବା ପରେ ନେଦରଲାଣ୍ଡ ବିପକ୍ଷରେ ୨୭ ଅକ୍ଟୋବରରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଉ ଏଥିପାଇଁ ପଡିଆରେ ଦୀର୍ଘ ଘଣ୍ଟା ଧରି ଝାଳ ବୁହାଇଛି ଭାରତ । କାରଣ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ୍ ବିଜୟୀ ହୋଇ ସେମିଫାଇନାଲ ରାସ୍ତାକୁ ଆହୁରି ସହଜ କରିବା ଲକ୍ଷ୍ୟରେ ରହିଛି ଭାରତ । ଅଭ୍ୟାସ ସମୟରେ ଅଧିକାଂଶ ଖେଳାଳୀଙ୍କୁ ମୈଦାନରେ ଦେଖିବାକୁ ମିଳିଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି ।

୨୭ ଅକ୍ଟୋବରରେ ହେବାକୁ ଥିବା ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇପାରେ ଟିମ୍ ଇଣ୍ଡିଆ । ହାର୍ଦ୍ଦିକଙ୍କ ସ୍ଥାନରେ ଦୀପକ ହୁଡା ନଚେତ ରିଷଭ ପନ୍ତଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ । ଯେହେତୁ ହାର୍ଦ୍ଦିକଙ୍କୁ ନେଇ ଭାରତ ପାଖରେ ବୋଲିଂ ବିକଳ୍ପ ରହୁଥିଲା ତେଣୁ ଦୀପକ ହୁଡା ରୋହିତଙ୍କର ପ୍ରଥମ ପସନ୍ଦର ଖେଳାଳୀ ପାଲଟିପାରନ୍ତି । ଯିଏ ବ୍ୟାଟିଂ ସହ ସ୍ପିନ ବୋଲିଂ ମଧ୍ୟ କରିପାରିବେ । ସେହିଭଳି ପ୍ରାକ୍ଟିସ ସମୟରେ ଅଶ୍ୱିନୀଙ୍କ ସମେତ ପାକିସ୍ତାନ ବିପକ୍ଷରେ ଖେଳୁଥିବା ସମସ୍ତ ବୋଲର ବିଶ୍ରାମ କରୁଥିବାର ଦେଖିବାକୁ ମିଳିଛି ।

ମେଲବୋର୍ଣ୍ଣ ମୈଦାନ ବଡ ଥିବାରୁ ଭାରତୀୟ ଇନିଂସରେ ଚୌକା ଓ ଛକା ଅପେକ୍ଷା ଖେଳାଳୀ ଦୌଡିକି ଅଧିକ ରନ୍ ନେଇଥିଲେ । ଯେଉଁଥିପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଥକ୍କା ଅନୁଭବ କରିଥିଲେ । ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ଭାରତ ହରାଇଛି ସତ କିନ୍ତୁ ପାକିସ୍ତାନ ବିପକ୍ଷ ଭଳି ବଡ ମ୍ୟାଚରେ ରାହୁଲ ଫ୍ଲପ୍ ହୋଇଥିଲେ । ତେବେ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଜୋରଦାର ଅଭ୍ୟାସ କରିଛନ୍ତି ରାହୁଲ । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚରେ କିନ୍ତୁ ସେତେଟା ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ।