ବଢୁଛି କୃଷକ ଆନ୍ଦୋଳନ ପ୍ରତି ସମର୍ଥନ । କୃଷିବିଲକୁ ବିରୋଧ କରି ଏନଡିଏ ଛାଡିଲା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି

127

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଶନିବାର ଦିନ ରାଜସ୍ଥାନର ଅଲୱାର ଜିଲ୍ଲାର ଶାହାଜାହାଁପୁର-ଖଡେ ସୀମା ନିକଟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମ୍ବୋଦ୍ଧିତ କରି ନାଗୋର ଲୋକସଭା ସାଂସଦ ହନୁମାନ ବେନିବାଲ କହିଛନ୍ତି କି ‘ମୁଁ ସେମାନଙ୍କ ସହିତ ରହିପାରିବି ନାହିଁ, ଯେଉଁମାନେ କୃଷକଙ୍କ ବିରୋଧୀ’ । ସେ ୧୯ ଡିସେମ୍ବର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି ୨୬ ଡିସେମ୍ବର ଦିନ ସେ ୨ ଲକ୍ଷ କୃଷକଙ୍କ ସହ ସିଂଘୁ ବୋର୍ଡର ଯାତ୍ରା କରିବେ । ଏବଂ ସେଠାରେ ପହଂଚିବା ପରେ ସେ ଏନଡିଏର ସହଯୋଗୀ ଦଳ ଭାବେ ରହିବେ କି ନାହିଁ ସେଠାରେ ନିଷ୍ପତ୍ତି କରିବେ । ଏହା ସହ ସେ ସଂସଦରେ ଥିବା ୩ ଟି ଯାକ ପଦରୁ ଇସ୍ତଫା ଦେବେ ବୋଲି ବି କହିଥିଲେ । ଏନେଇ ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ନିକଟକୁ ପଠାଇଥିଲେ । ଏହି ପତ୍ରରେ ସେ ଉଦ୍ୟେଗୀ ସମ୍ବୋନ୍ଧ ସ୍ଥାୟୀ ସମିତି, ଯାଚିକି ସମିତି ଓ ପେଟ୍ରୋଲିୟମ ଗ୍ୟାସ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଥିବା ଲେଖିଥିଲେ ।
ବେନିବାଲ ୨୦୧୮ ମସିହାରେ ରାଜସ୍ଥାନ ରାଜ୍ୟ ନିର୍ବାଚନ ବେଳେ ବିଜେପି ଛାଡି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଗଠନ କରିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ପୁଣି ବିଜେପି ସହିିତ ମେଣ୍ଟ କରିଥିଲେ । ହେଲେ ଏବେ ସେ କୃଷକ ମାନଙ୍କ ସମର୍ଥନ କରି ଏନଡିଏ ମେଣ୍ଟରୁ ନିଜର ସମର୍ଥନ ପ୍ରତ୍ୟାହାର କରିଛନ୍ତି । କହିରଖୁ କି ଆରଏଲପି ପୂର୍ବରୁ ଏନଡିଏକୁ ସବୁଠାରୁ ବଡ ଝଟକା ଦେଇଥିଲା ଶିବସେନା । ଏହା ସହ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅକାଳୀ ଦଳ କୃଷି କାନୁନକୁ ବିରୋଧ କରି ଏନଡିଏର ସମର୍ଥନ ପ୍ରତ୍ୟାହାର କରିନେଇଥିଲା ।