କନକ ବ୍ୟୁରୋ: ପୁରୀରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । ପୁରୀ ସହରରେ ବିଶେଷ କରି ତାଳବଣିଆ ଠାରୁ ଆରମ୍ଭ କରି ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ୪୦ ପ୍ଲାଟୁନ୍ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି ।। ପୁରୀ ତାଳବଣିଆଠାରେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଯାଇ ଅବତରଣ କରିବା ପରେ ତାଙ୍କୁ ପାଛୋଟି ନେଇଛନ୍ତି ରାଜ୍ୟପାଳ ଗଣେଶି ଲାଲ୍ ।

Advertisment

ହେଲିପ୍ୟାଡରୁ ସିଧା ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି ରାମନାଥ । ତାଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ, ୪ଟା ୫୦ରେ ରାଜଭବନରୁ ବାହାରି ଶ୍ରୀମନ୍ଦିରକୁ ଯିବେ । ସଂଧ୍ୟା ୫ଟାରୁ ୫ଟା ୪୫ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ସିଂହଦ୍ୱାର ନିକଟରେ ଅସ୍ଥାୟୀ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମହାପ୍ରଭୁଙ୍କ ଦର୍ଶନ ପରେ ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ରାଜଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ତାଙ୍କ ଝିଅ, ଜ୍ୱାଇଁ ଓ ରାଜ୍ୟପାଳ ଗଣେଶୀ ଲାଲ ରହିବେ । ସେପଟେ ରାଷ୍ଟ୍ରପତିଙ୍କ ସହ ଆସିଥିବା ୪୦ ଜଣ ଅତିଥି ଘରୋଇ ହୋଟେଲରେ ରହିବେ । ଅଫିସିଆଲ୍ କର୍ମକର୍ତ୍ତା ସର୍କିଟ ହାଉସ୍ ଓ ପାନ୍ଥନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହାପରେ ଆସନ୍ତା କାଲି ଶ୍ରୀକ୍ଷେତ୍ରର ପ୍ରମୁଖ ଗୌଡୀୟ ମଠ ପରିଦର୍ଶନ କରି ଆଳତୀ ନୀତି କାର୍ଯ୍ୟକ୍ରମରେ ଯୋଗଦେବେ । ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ ତ୍ରିବର୍ଷିୟ ଶ୍ରୀଚୈତନ୍ୟ ଗୌଡୀୟ ମଠର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।