ସାଇବର ଠକଙ୍କ ନୂଆ ଷ୍ଟାଇଲ୍ । ସାମନାକୁ ଆସିଲା ନାଇଜେରିଆ ଗ୍ୟାଙ୍ଗର ହନିଟ୍ରାପ । ଜର୍ମାନୀ ଯୁବତୀ ଜେନେଫରଙ୍କ ଜାଲରୁ ଅଳ୍ପକେ ବର୍ତିଗଲେ ଭୁବନେଶ୍ୱରର ଯୁବକ 

1,186

କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ରହୁଥିବା ଶୁଭେନ୍ଦୁଙ୍କ ସହ ଜଣେ ବିଦେଶୀ ଯୁବତୀ, ଫେସବୁକ୍ରେ ବନ୍ଧୁତା ସ୍ଥାପନ କରିଥିଲେ । ଯୁବତୀ ଜଣକ ଜଣେ ଜର୍ମାନ ନିବାସୀ ଓ ତାଙ୍କ ନାଁ ଜେନିଫର ୱିଲିୟମ ବୋଲି ପରିଚୟ ଦେଇଥିଲେ । ପ୍ରଥମେ ମେସେଜ୍ ପଠାଇବା ପରେ ଫୋନ ନମ୍ବର ଆଦାନପ୍ରଦାନ ଓ ହ୍ୱାଟ୍ସଆପ୍ରେ ଘଂଟା ଘଂଟା ଚ୍ୟାଟିଂ ।

ଚାରି ପାଂଚ ଦିନ ମଧ୍ୟରେ ବିଦେଶିନୀଙ୍କ ସହ ବନ୍ଧୁତା ଏତେ ବଢ଼ି ଯାଇଥିଲା ଯେ ଖୁସିରେ ମସଗୁଲ ହୋଇ ଯାଇଥିଲେ ଶୁଭେନ୍ଦୁ । ଜେନିଫର ନାମକ ଏହି ଯୁବତୀ ଯେତେବେଳେ ଭୁବନେଶ୍ୱର ଆସୁଥିବା କହିଥିଲେ, ସେତେବେଳେ ଶୁଭେନ୍ଦୁ ସେତେବେଳେ ଜାଣିନଥିଲେ ଯେ, ସେ ହନିଟ୍ରାପ୍ ବା ଠକଙ୍କ ମଧୁର ଜାଲରେ ସେ ଛନ୍ଦି ହୋଇ ଯାଇଛନ୍ତି ।

କିଛି ଦିନ ପରେ ଶୁଭେନ୍ଦୁଙ୍କୁ ଫୋନ କରି ବିମାନରେ ଭାରତ ଆସୁଛନ୍ତି ବୋଲି ଜଣାଇଲେ ଜେନିଫର । ବିଶ୍ୱାସ ଜନ୍ମାଇବା ପାଇଁ ବିମାନ ଟିକେଟ୍, ବିମାନରେ ବସିଥିବାର ସେଲଫି ପଠାଇଲେ । ଆଉ ଏହା ପରେ ଆରମ୍ଭ ହୋଇଗଲା ଅସଲ ଖେଳ । ଶୁଭେନ୍ଦୁଙ୍କୁ ଫୋନ କଲେ ଜେନିଫର । କହିଲେ, ମୁମ୍ବାଇ ବିମାନ ବନ୍ଦରରେ ସେ ଫସି ଯାଇଛନ୍ତି, ତାଙ୍କ ପାଖରେ ଷାଠିଏ ହଜାର ପାଉଣ୍ଡର ଡ୍ରାଫ୍ଟ ଅଛି, ଯାହାର ଭାରତୀୟ ମୁଦ୍ରାରେ ଆନୁମାନିକ ମୁଲ୍ୟ ୫୮ ଲକ୍ଷ ଟଙ୍କା, ଯାହାକୁ ଭ୍ଙ୍ଗେଇବା ପାଇଁ ୪୫ ହଜାର ୫୦୦ ଟଙ୍କା ଦରକାର ।

ସେହି ଟଙ୍କା ଦେଲେ ସେ ବିମାନ ବନ୍ଦରରୁ ମୁକୁଳିବେ ଓ ଭୁବନେଶ୍ୱରରେ ପହଁଚିଲେ ସେ ଶୁଭେନ୍ଦୁଙ୍କୁ ଟଙ୍କା ଫେରେଇ ଦେବେ ବୋଲି କହିଲେ । ଏଥିସହ ଏକ ବ୍ୟାଙ୍କ ଆକାଉଂଟ ନମ୍ବର ମଧ୍ୟ ଶୁଭେନ୍ଦୁଙ୍କ ନିକଟକୁ ପଠାଇଥିଲେ ଜେନିଫର । ତେବେ ଟଙ୍କା କଥା ଉଠିବାରୁ ସାଇବର ଏକ୍ସପର୍ଟଙ୍କ ସହ ଯୋଗାଯୋଗ କରିଥିଲେ ଶୁଭେନ୍ଦୁ । ତାଙ୍କ ପରାମର୍ଶ କ୍ରମେ ବଡ଼ ଧରଣର ଠକେଇରୁ ସେ ବର୍ତି ଯାଇଥିଲେ ।

ଗୁଗୁଲ ପେ, ଫୋନ ପେ ଆଦି ଜରିଆରେ ଲୋକଙ୍କୁ ଠକିବା ଷ୍ଟାଇଲ୍ ଏବେ ପୁରୁଣା ହୋଇଯିବାୁ ନୂଆ ନୂଆ ଫନ୍ଦି ଆପଣେଇଲେଣି ସାଇବର ଠକ । ନାଇଜେରିଆର ଠକ ଗ୍ୟାଙ୍ଗ୍ ଏହାକୁ ପରିଚାଳନା କରୁଥିବା ଜଣାପଡ଼ିଛି ।