କନକ ବ୍ୟୁରୋ : ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍ ଘଟଣାରେ ଗିରଫ ବରିଷ୍ଠ ଟେକନିସିଆନ୍ ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ପୁଣି ଥରେ ବାବୁରାମଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ଏହି ରିମାଣ୍ଡ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ । ବାବୁରାମ ବ୍ୟବହାର କରୁଥିବା ଲାପଟପ୍, ମୋବାଇଲ୍, ପେନଡ୍ରାଇଭ୍ ସମେତ ୬ଟି ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

Advertisment

ଏସବୁର ପରୀକ୍ଷଣ ପାଇଁ କୋଲକାତା ଓ ଦିଲ୍ଲୀ ସ୍ଥିତ ଫରେନସିକ୍ ଟେକନିକାଲ ଲାବ୍ରୋଟାରୀକୁ ପଠାଯିବ । ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ସ୍ଥାବର, ଅସ୍ଥାବର ସମ୍ପତିର ଯାଞ୍ଚ ଚାଲିଛି । ଯେଉଁ ଯୁବତୀଙ୍କ ହନିଟ୍ରାପରେ ଫସିଥିଲେ ସେ ନିଜକୁ ହାଇଦ୍ରାବାଦର ଜଣେ ଇଞ୍ଜିନିୟରିଂ ଛାତ୍ରୀ ବୋଲି ପରିଚୟ ଦେଇଥିବା କୁହାଯାଉଛି । ଏଥିପାଇଁ ବାଲେଶ୍ୱର ଜିଲ୍ଲା ପୋଲିସ, ବାୟୁସେନା ସହ ତଦନ୍ତରେ ଆନ୍ଧ୍ର ଗୁଇନ୍ଦା ସଂସ୍ଥାର ଟିମକୁ ସାମିଲ କରାଯାଉଥିବା ଅନୁମାନ କରାଯାଉଛି । ଗତ ୨୫ ତାରିଖରେ ଚାନ୍ଦିପୁର ଥାନା ପୁଲିସ ବାବୁରାମ ଦେଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଧାରା ୧୨୦-ଏ/୧୨୦-ବି/୩୪ ଆଇପିସି ସେକ୍ସନ୍‌ ୩, ୪, ୫, ୧୯୨୩ ଅଫିସିଆଲ୍‌ ସିକ୍ରେଟ୍‌ସ ଆକ୍ଟ ବିରୋଧରେ ମାମଲା ରୁଜୁ କରାଯାଇଛି ।