ସ୍ୱାବଲମ୍ବୀ କରିଛି ମହୁ ଚାଷ । ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ୨୦ରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି ନନ୍ଦପୁରର ଯୁବଚାଷୀ ନିତାଇ ।

463

କନକ ବ୍ୟୁରୋ : ମହୁ ଚାଷ ବଦଳାଇ ଦେଇଛି ଜୀବନର ମୋଡ଼ । ସ୍ୱଳ୍ପ ଖର୍ଚ୍ଚରେ ଅଧିକା ଉପାର୍ଜନ । ଜିଲ୍ଳାବାସୀଙ୍କୁ ସୁଧ ମହୁ ଯୋଗାଇବା ସହ ବିଭିନ୍ନ ପ୍ରଜାତିର ମହୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଜଣେ ଯୁବଚାଷୀ । ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବା ସହ ୨୦ରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି କୋରାପୁଟ ନନ୍ଦପୁର ବ୍ଳକର ଯୁବଚାଷୀ ନିତାଇ ଚରଣ ଦଳାଇ ।

ସାଧାରଣତଃ ଆମେ ବଜାରରୁ ମହୁ କିଣିଥାଉ । ହେଲେ ମହୁ ଯେ ବିଭିନ୍ନ ପ୍ରକାରର ଅଛି ତାହା ହୁଏତ ଅନେକଙ୍କୁ ଜଣାନଥିବ । ତୁଳସୀ, କରଂଜ, ଅଳସୀ, ନିଳଗିରି, ଧନିଆ, ଶୋରିଷ, ଲିଚୁ, ଜାମୁକୋଳି, ନିମ୍ବ, ଆମ୍ବ, ଭଳି ମହୁ । ଆଉ ଏତେ ସବୁ ପ୍ରକାରର ମହୁ ବିକ୍ରି କରୁଛନ୍ତି କୋରାପୁଟ ନନ୍ଦପୁର ବ୍ଲକ ହିକିମିପୁଟର ଯୁବଚାଷୀ ନିତାଇ ଚରଣ ଦଳାଇ ।

ଯେଉଁଠି ଫୁଲର ସମ୍ଭାର ସେଠାରେ ବସିଯାଉଛି ମହୁ ବକ୍ସ । ସେ ଗାଁ ହେଉ କି ଜାତୀୟ ରାଜପଥ । ଅନ୍ୟ ଚାଷ ଭଳି ମହୁ ଚାଷ ମଧ୍ୟ କରି ହେବ । ସେଥିପାଇଁ ଇଛା ଶକ୍ତିର ଆବଶ୍ୟକ । ରାସ୍ତା କଡ଼ରେ ଲାଗିଛି ୬୦ରୁ ଅଧିକ ମହୁ ବାକ୍ସ । ବର୍ଷା ଦିନକୁ ଛାଡ଼ି ଦେଲେ ବର୍ଷର ସବୁ ସମୟରେ ମହୁ ଚାଷ କରୁଛନ୍ତି ଯୁବଚାଷୀ ନିତାଇ । ଆଉ ଏବେ ଅଳସି ଚାଷ ହୋଇଛି ତେଣୁ ମିଳୁଛି ଅଳସି ମହୁ । ବାପାଙ୍କ ପ୍ରେରଣାରେ ମହୁ ଚାଷ କରୁଥିବା ଏହି ଯୁବଚାଷୀ ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ଲାଭ ପାଉଛନ୍ତି ।

ବାପାଙ୍କ ଠାରୁ ମହୁ ଚାଷ ଶିଖିଛନ୍ତି ନିତାଇ । ପ୍ରଥମେ ସପ୍ତଫେଣି ପରେ ଇଟାଲିଆନ ମହୁ ମାଛିକୁ ନେଇ ଚାଷ କରୁଛନ୍ତି । ଇଟାଲିଆନ୍ ମାଛି ମହୁ ସଂଗ୍ରହ ପାଇଁ ପ୍ରାୟ ୩ କିଲୋମିଟର ଦୂର ଯାଇଥାନ୍ତି । ୨ ଟି ବାକ୍ସରୁ ଆରମ୍ଭ ହୋଇଥିବା ମହୁଚାଷ ଏବେ ୧୦୦ ଡେଇଁଛି । ଗୋଟିଏ ମହୁ ବାକ୍ସରୁ ୫ରୁ ୭ କିଲୋର ମହୁ ସଂଗ୍ରହ କରାଯାଉଛି । ୧ ମାସରେ ମହୁ ବାକ୍ସ ଭର୍ତ୍ତି ହୋଇଯାଏ । ମହୁ କିଲୋ ପିଛା ୩୦୦ରୁ ୩୫୦ ଟଙ୍କାରେ ବିକ୍ରି ହେଉଛି । ନିତାଇ ୧୭ ବର୍ଷ ହେବ ମହୁ ଚାଷ କରୁଥିବା ବେଳେ ୨୦ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି । ମହୁ ମାଛିର କେଶରକୁ ସଂଗ୍ରହ କରି ବିକ୍ରି କରାଯାଉଛି । ଯାହା ଔଷଧ ରୂପେ ବ୍ୟବହାର କରାଯାଏ । ଏହା ବ୍ୟତିତ ମହୁ ମାଛି ଭିତରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି ।