କରୋନା ଟିକା କେନ୍ଦ୍ରରେ ଫଟୋକୁ ନେଇ ଟ୍ୱିଟର କଳି : ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ସାଂସଦ ଅପରାଜିତା ଷଡଙ୍ଗୀ; ଜବାବ ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

159

କନକ ବ୍ୟୁରୋ : କରୋନା ଟିକା, ଫଟୋ ଓ ଟ୍ୱିଟର କଳି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏକ ଟ୍ୱିଟ କରି ଅତି କଡା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଲେଖିଛନ୍ତି, ବାହାରୁ ଟିକା କିଣିବାରେ ଓଡିଶା ବିଫଳ ହେଲା । ତେଣୁ ବିପଦ ସମୟରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଥିପାଇଁ ସାଧାରଣ ସୌଜନ୍ୟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ରାଜ୍ୟ ସରକାର ଟିକା କେନ୍ଦ୍ର ଗୁଡିକରେ ପ୍ରାଥମିକତା ଭିତିରେ ସ୍ଥାନ ଦେବାକଥା । ହେଲେ ଅସୁରକ୍ଷା ଓ ହୀନମନ୍ୟତା ଦୃଷ୍ଟିରୁ ଏଭଳି କରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ସେହି ଟ୍ୱିଟରରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଥିବାରୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ଆପତି କରିଥିଲେ । ହେଲେ ବିଜେଡି ଏଥିରେ କୌଣସି ଆପତି ଅଭିଯୋଗ କରିନାହିଁ । ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏହା ଏକ ଜାତୀୟ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହାକୁ ରାଜ୍ୟଗୁଡିକ ଉପରେ ଜୋରଜବଦସ୍ତ ଲଦିଦେବା ପରେ ପୁଣି ପ୍ରତ୍ୟାହାର କରାଗଲା ।

ଏବେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ କୋଭିଡ ସଚେତନ ବାର୍ତା ପ୍ରଚାର କରାଯାଉଥିବାବେଳେ ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ଟିପ୍ପଣୀ କରିଛନ୍ତି ବିଜେଡି ସାଂସଦ । ସିଧାସଳଖ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଇଙ୍ଗିତ କରି ଏହା ତାଙ୍କର ରାଜନୈତିକ ଅସୁରକ୍ଷା ଓ ହୀନ ରାଜନୀତି ବୋଲି ସେ ସମାଲୋଚନା କରିଛନ୍ତି ।