ଲକଡାଉନ୍ ଭିତରେ କେନ୍ଦ୍ର ଗୃହମନ୍ତ୍ରାଳୟ ଜାରି କଲା ଏସଓପି । ଘରକୁ ଫେରି ପାରିବେ ପ୍ରବାସୀ, ଶ୍ରମିକ, ଛାତ୍ର ଓ ପର୍ଯ୍ୟଟକ : ରାଜ୍ୟ ସରକାରଙ୍କ ଅନୁମତିରେ କେବଳ ବସରେ କରିହେବ ଯାତ୍ରା

291

କନକ ବ୍ୟୁରୋ : ଦେଶରେ କରୋନା ଲକଡାଉନ୍ ଭିତରେ ଫସିଯାଇଥିବା ଲୋକଙ୍କ ପାଇଁ ବଡଧରଣର ଆଶ୍ୱସ୍ତି । ଏହି ଆଶ୍ୱସ୍ତି ଆଣିଛନ୍ତି କେନ୍ଦ୍ର ସରକାର । ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରିବା ପାଇଁ ସର୍ତମୂଳକ ଭାବେ ଅନୁମତି ଦେଲେ କେନ୍ଦ୍ର ସରକାର । ବୁଧବାର ଏସଓପି ଜାରି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି, ସଂପୃକ୍ତ ରାଜ୍ୟ ସରକାରମାନଙ୍କ ଅନୁମତି କ୍ରମେ ଏହି ଯାତାୟତ କରିହେବ । କେବଳ ବସ୍ ମାଧ୍ୟମରେ ଏମାନେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇପାରିବେ । ସବୁ ରାଜ୍ୟ ଏଥିପାଇଁ ନୋଡାଲ କର୍ତୃପକ୍ଷ ନିଯୁକ୍ତ କରିବେ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ପ୍ରଟୋକଲ୍ ବା ନୀତି ନିର୍ଧାରଣ କରାଯାଉ ।

ଯେଉଁ ରାଜ୍ୟରୁ ସେମାନେ ଯିବେ ଏବଂ ଯେଉଁ ରାଜ୍ୟକୁ ଯିବେ ଉଭୟ ରାଜ୍ୟର କର୍ତୃପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ରହିବ । ପୂର୍ବରୁ ଲକଡାଉନ୍  ଭିତରେ ଯାତାୟତ ପାଇଁ ଲାଗୁ ହୋଇଥିବା କଟକଣାକୁ ଏହା ସହିତ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟ ବାହାରୁ, ଶ୍ରମିକ , ଛାତ୍ରଛାତ୍ରୀ , ପର୍ଯ୍ୟଟକ ଆଦିଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯିବା ପୂର୍ବରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ୟସ୍ଥାନକୁ ନେବା ବେଳେ ସାମାଜିକ ଦୂରତାପାଳନ କରାଯିବ । ସେମାନେ ଘରେ ପହଁଚିଲା ପରେ ୧୪ ଦିନିଆ ହୋମ୍ କ୍ୱାରେଂଟିନରେ ରହିବେ । ଏସବୁକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ଏସଓପି ଜାରି କରିଛନ୍ତି ।